Nandankanan: ଚିକିତ୍ସାଧୀନ ଅବସ୍ଥାରେ ସିଂହ ଶାବକର ମୃତ୍ୟୁ, ଜନ୍ମର ଦୁଇ ଦିନ ପରେ ହାରିଲା ଜୀବନ
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ଆସିଛି ଦୁଃଖଦ ଖବର। ଏସୀୟ ସିଂହୀ ମାୟା ଓ ସିଂହ ଶିବମ୍ଙ୍କ ମିଳନରୁ ଜନ୍ମ ନେଇଥିବା ଏକ ଅଣ୍ଡିରା ଶାବକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତ ୭ ତାରିଖରେ ମାୟା ଦୁଇଟି ଶାବକକୁ ଜନ୍ମ ଦେଇଥିଲା। ତେବେ ଦୁର୍ଭାଗ୍ୟବଶତଃ ପ୍ରଥମ ଶାବକଟି ମୃତ ଅବସ୍ଥାରେ ଜନ୍ମ ନେଇଥିଲା।
ଦ୍ୱିତୀୟ ଶାବକଟି ଜୀବିତ ଥିବାରୁ ତାହାର ଯତ୍ନ ନିଆଯାଉଥିଲା। ତେବେ ସିସିଟିଭି ନଜରଦାରି ସମୟରେ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ଯେ, ମାୟା ଶାବକଟିକୁ ସ୍ତନ୍ୟପାନ କରାଉନାହିଁ। ଶାବକଟିର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବା ପରେ ତାକୁ ମା’ଠାରୁ ଅଲଗା କରାଯାଇଥିଲା। ପରେ ନନ୍ଦନକାନନର ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ଶିଶୁ-ପ୍ରାଣୀ ସଂଗରୋଧ କକ୍ଷରେ ରଖି ତାହାର ଚିକିତ୍ସା ଓ ଯତ୍ନ ନିଆଯାଉଥିଲା।
ଡାକ୍ତରୀ ଚିକିତ୍ସା ଓ ନିରୀକ୍ଷଣ ସତ୍ତ୍ୱେ ଶାବକଟିକୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ହୋଇଛି। ଏହି ଘଟଣା ନନ୍ଦନକାନନ କର୍ତ୍ତୃପକ୍ଷ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଦୁଃଖର ପରିବେଶ ସୃଷ୍ଟି କରିଛି।

