Pune Ganesh Utsav: ହାଇକୋର୍ଟଙ୍କ ଆପତ୍ତି ପରେ ପୁଣେରେ ବଦଳିଲା ମଦ ବନ୍ଦ ନିୟମ, ୧୦ ଦିନ ବଦଳରେ ୨ ଦିନ ହେବ କଟକଣା
ମହାରାଷ୍ଟ୍ର: ଗଣେଶ ଉତ୍ସବ ସମୟରେ ପୁଣେରେ ଲାଗୁ ହେବାକୁ ଥିବା ୧୦ ଦିନିଆ ମଦ ବିକ୍ରି ଓ ସେବନ ନିଷେଧ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ବମ୍ବେ ହାଇକୋର୍ଟଙ୍କ ଆପତ୍ତି ପରେ ପ୍ରଶାସନ ଏହି କଟକଣାକୁ ହ୍ରାସ କରି ୨ ଦିନରେ ସୀମିତ କରିଛି। ଏବେ ସେପ୍ଟେମ୍ବର ୧୪ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମଦ ବିକ୍ରି ଓ ସେବନ ଉପରେ ରୋକ ରହିବ।
ଏହାବ୍ୟତୀତ ଗଣେଶ ଉତ୍ସବର ଶେଷ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୫ରେ ମଧ୍ୟ ମଦ ଉପରେ କଟକଣା ଜାରି ରହିବ। ତେବେ ଏହି ଦିନ ପୂର୍ବରୁ ହିଁ ସରକାରୀ ଭାବେ ‘ଡ୍ରାଏ ଡେ’ ଭାବେ ଧାର୍ଯ୍ୟ ହୋଇଛି। ତେଣୁ ପୁଣେରେ ଗଣେଶ ଉତ୍ସବ ଅବସରରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୧୦ ଦିନ ଧରି ଅଲଗା ଭାବେ ମଦ ବନ୍ଦ ରହିବ ନାହିଁ।
ପୁଣେରେ ହିଁ କାହିଁକି ଏଭଳି ଦୀର୍ଘ ସମୟର କଟକଣା ଲାଗୁ କରାଯାଉଛି ବୋଲି ବମ୍ବେ ହାଇକୋର୍ଟ ପ୍ରଶ୍ନ ଉଠାଇଥିଲେ। କେବଳ ପୁଣେକୁ ଏଭଳି ନିୟମରେ ଟାର୍ଗେଟ୍ କରାଯିବା ନେଇ ମଧ୍ୟ କୋର୍ଟ ଆପତ୍ତି ଜଣାଇଥିଲେ। ଏହାପରେ ପୂର୍ବ ନିଷ୍ପତ୍ତିରେ ସଂଶୋଧନ କରାଯାଇ ମଦ ନିଷେଧକୁ ମାତ୍ର ୨ ଦିନରେ ସୀମିତ କରାଯାଇଛି।

