Guntur Green Ganesh: ୨୫ ହଜାର ଛାତ୍ରଛାତ୍ରୀଙ୍କ ମାଟି ଗଣେଶ ମୂର୍ତ୍ତି ତିଆରି, ଗିନିଜ୍ ନୁହେଁ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ରେ ଗୁଣ୍ଟୁରର ନାଁ
ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ମହାନଗର ନିଗମ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ମହାନଗର ନିଗମର ‘ଗ୍ରୀନ୍ ଗଣେଶ’ କାର୍ଯ୍ୟକ୍ରମ ଅଧୀନରେ ସେପ୍ଟେମ୍ବର ୧୧ ତାରିଖରେ ୫୫ଟି ସ୍କୁଲର ୨୫ ହଜାର ଛାତ୍ରଛାତ୍ରୀ ଏକାସାଙ୍ଗରେ ପରିବେଶ ଅନୁକୂଳ ମାଟିର ଗଣେଶ ମୂର୍ତ୍ତି ତିଆରି କରିଥିଲେ। ଏହି ସାମୂହିକ ପ୍ରୟାସକୁ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍, ଲଣ୍ଡନରେ ସ୍ଥାନ ମିଳିଛି।
ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ର ଲଣ୍ଡନ ଶାଖାର ଯୁଗ୍ମ ସଚିବ ଏଲିଆଜ୍ ଏହି ରେକର୍ଡକୁ ଆନୁଷ୍ଠାନିକ ଭାବେ ଘୋଷଣା କରିବା ସହ ଗୁଣ୍ଟୁର ମହାନଗର ନିଗମକୁ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରିଥିଲେ। ତାଙ୍କ କହିବା ଅନୁସାରେ, ପୂର୍ବରୁ ଏକାସାଙ୍ଗରେ ୮ ହଜାର ୭୫୦ ଜଣ ଅଂଶଗ୍ରହଣକାରୀ ମାଟିର ଗଣେଶ ମୂର୍ତ୍ତି ତିଆରି କରିଥିବା ରେକର୍ଡ ରହିଥିଲା। ଗୁଣ୍ଟୁରରେ ୨୫ ହଜାର ଛାତ୍ରଛାତ୍ରୀ ଏକାସାଙ୍ଗରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପରିବେଶ ଅନୁକୂଳ ଗଣେଶ ପୂଜା ପାଇଁ ଲୋକଙ୍କୁ ସଚେତନ କରିବା। ବିଶେଷକରି ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ମାଟିର ମୂର୍ତ୍ତି ବ୍ୟବହାର ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେବାକୁ ଗୁରୁତ୍ୱ ଦିଆଯାଇଛି। ୨୫ ହଜାର ଛାତ୍ରଛାତ୍ରୀଙ୍କ ଏହି ସାମୂହିକ ଅଂଶଗ୍ରହଣ ଗୁଣ୍ଟୁରର ‘ଗ୍ରୀନ୍ ଗଣେଶ’ ଅଭିଯାନକୁ ଏକ ନୂଆ ପରିଚୟ ଦେଇଛି।

