Parenting Tips: ପିଲାଙ୍କୁ ସବୁବେଳେ ସତ କହିବା ନୁହେଁ, ସୁରକ୍ଷା ପାଇଁ ଏହି କଥା ଲୁଚାଇବା ଶିଖାନ୍ତୁ…
ପିଲାଙ୍କୁ ଛୋଟବେଳୁ ସତ କହିବା ଓ ମିଛ ନ କହିବାର ଶିକ୍ଷା ଦିଆଯାଏ। କିନ୍ତୁ କିଛି ପରିସ୍ଥିତିରେ ନିଜ ସୁରକ୍ଷା ପାଇଁ ଅଜଣା ବ୍ୟକ୍ତିଙ୍କୁ ସଠିକ୍ ସୂଚନା ନଦେବା ମଧ୍ୟ ଜରୁରୀ। ବିଶେଷକରି ଆଜିକାଲି ଛୋଟ ପିଲାମାନେ ମଧ୍ୟ ସୋସିଆଲ ମିଡିଆ ବ୍ୟବହାର କରୁଥିବାରୁ ସେମାନଙ୍କୁ ଘର ଠିକଣା, ସ୍କୁଲର ନାମ ଓ ଠିକଣା, ଫୋନ୍ ନମ୍ବର କିମ୍ବା ନିଜର ଲୋକେସନ୍ ଭଳି ବ୍ୟକ୍ତିଗତ ସୂଚନା କାହା ସହ ଅଜାଣତରେ ସେୟାର ନକରିବାକୁ ଶିଖାଇବା ଉଚିତ। ଏଭଳି ସୂଚନା କେହି ମାଗିଲେ ଉତ୍ତର ନଦେବା, ବ୍ଲକ୍ କରିବା କିମ୍ବା ଆବଶ୍ୟକ ହେଲେ ଭୁଲ ସୂଚନା ଦେଇ ନିଜକୁ ସୁରକ୍ଷିତ ରଖିବା ଠିକ୍ ବୋଲି ପିଲାଙ୍କୁ ବୁଝାଇବା ଦରକାର।
ପିଲା ଘରେ ଏକା ଥିବା ସମୟରେ କେହି ଅଜଣା ବ୍ୟକ୍ତି ଦ୍ୱାର ଖଟଖଟାଇଲେ, ସେ ଘରେ ଏକା ଅଛି ବୋଲି କେବେ ମଧ୍ୟ କହିବା ଉଚିତ ନୁହେଁ। ଏଭଳି ସ୍ଥିତିରେ ଘରେ ଅନ୍ୟ କେହି ଅଛନ୍ତି କିମ୍ବା ପରିବାରର ସଦସ୍ୟ ଖୁବ୍ ଶୀଘ୍ର ଆସୁଛନ୍ତି ବୋଲି କହିବାକୁ ପିଲାଙ୍କୁ ଶିଖାଇପାରନ୍ତି। ସେହିପରି କୌଣସି ଅଜଣା ବ୍ୟକ୍ତିଙ୍କ ଆଚରଣରେ ପିଲା ଅସହଜ କିମ୍ବା ଅସୁରକ୍ଷିତ ଅନୁଭବ କଲେ, ଶିଷ୍ଟାଚାର ରକ୍ଷା କରିବା ଅପେକ୍ଷା ସେଠାରୁ ନିଜକୁ ଦୂରେଇବା ଅଧିକ ଜରୁରୀ। ଆବଶ୍ୟକ ହେଲେ ପରିବାରର କେହି ଆସୁଛନ୍ତି ବୋଲି କହି ପିଲା ସେହି ପରିସ୍ଥିତିରୁ ବାହାରିପାରିବ।
ସେହିପରି ପରିବାରର ଆର୍ଥିକ ସ୍ଥିତି, ଘରେ କେତେ ଟଙ୍କା ଅଛି, ପରିବାରର ସଦସ୍ୟମାନେ କେଉଁଠି ରହନ୍ତି କିମ୍ବା କେବେ ଘରକୁ ଫେରିବେ ଭଳି ବ୍ୟକ୍ତିଗତ ସୂଚନା ଅଜଣା ବ୍ୟକ୍ତିଙ୍କୁ ନଦେବାକୁ ପିଲାଙ୍କୁ ଶିଖାଇବା ଆବଶ୍ୟକ। ଏଭଳି ପ୍ରଶ୍ନର ଉତ୍ତର ଜାଣିନଥିବା କିମ୍ବା ଏ ସମ୍ପର୍କରେ କିଛି କହିପାରିବ ନାହିଁ ବୋଲି କହିବା ଠିକ୍। ତେଣୁ ପିଲାଙ୍କୁ କେବଳ ସତ କହିବା ନୁହେଁ, କେଉଁ ସୂଚନା କାହାକୁ ଦେବା ନିରାପଦ ଏବଂ କେବେ ନିଜ ସୁରକ୍ଷାକୁ ପ୍ରାଥମିକତା ଦେବା ଦରକାର, ସେ ବିଷୟରେ ମଧ୍ୟ ଶିକ୍ଷା ଦେବା ଜରୁରୀ।

