Xiଙ୍କ ଉପସ୍ଥିତିରେ PM Modiଙ୍କ ବଡ଼ ବାର୍ତ୍ତା, Critical Minerals ‘Weaponisation’ ବିରୋଧରେ ଚେତାବନୀ
ନୂଆଦିଲ୍ଲୀରେ ଚାଲିଥିବା BRICS ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଯୁକ୍ତି ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ’କୁ ଅସ୍ତ୍ର ଭାବେ ବ୍ୟବହାର କରିବାର ବିପଦ ନେଇ ସଦସ୍ୟ ଦେଶଗୁଡ଼ିକୁ ସତର୍କ କରିଛନ୍ତି। ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଉପସ୍ଥିତିରେ ମୋଦୀ କହିଛନ୍ତି, ଆଜିର ପରସ୍ପର ନିର୍ଭରଶୀଳ ବିଶ୍ୱରେ କୌଣସି ସଙ୍କଟ ଆଉ କେବଳ ଗୋଟିଏ ଅଞ୍ଚଳ ମଧ୍ୟରେ ସୀମିତ ରହୁନାହିଁ। ଭୂ-ରାଜନୈତିକ ଉତ୍ତେଜନା, ମହାମାରୀ, ଜଳବାୟୁ ବିପର୍ଯ୍ୟୟ ଓ ଯୋଗାଣ ଶୃଙ୍ଖଳାରେ ବାଧା ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି।
ମୋଦୀ କହିଛନ୍ତି, ଏଭଳି ପରିସ୍ଥିତିରେ ବିଶ୍ୱସ୍ତରରେ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ସହ ସଙ୍କଟକୁ ସମୟ ପୂର୍ବରୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଭାରତର ଅଧ୍ୟକ୍ଷତାରେ BRICSରେ ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ସଂକ୍ରାମକ ରୋଗର ପ୍ରତିରୋଧ ଓ ମୁକାବିଲା ପାଇଁ BRICS ସମନ୍ୱିତ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ନେଇ ସହମତି ହୋଇଥିବା ମୋଦୀ କହିଛନ୍ତି। ଏଥିପାଇଁ ତଥ୍ୟ ସମନ୍ୱୟ ଓ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥାର ମାର୍ଗଦର୍ଶିକା ମଧ୍ୟ ପ୍ରସ୍ତୁତ ହୋଇଛି।
ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ, ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଓ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋଙ୍କ ସମେତ ଅନ୍ୟ ନେତାମାନେ ଯୋଗଦେଇଛନ୍ତି। ପୂର୍ବରୁ ଜାରି ନୂଆଦିଲ୍ଲୀ ଘୋଷଣାନାମାରେ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ନେଇ ଚିନ୍ତା ପ୍ରକାଶ ସହ ସଂଯମ, ଆଲୋଚନା ଓ କୂଟନୀତିକୁ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଏକତରଫା ଆର୍ଥିକ କଟକଣା ବନ୍ଦ କରିବା ଓ ବଢ଼ୁଥିବା ସୁରକ୍ଷାବାଦୀ ନୀତି ଯୋଗୁଁ ବିଶ୍ୱ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେଉଥିବା ନେଇ BRICS ପକ୍ଷରୁ ଚିନ୍ତା ପ୍ରକାଶ କରାଯାଇଛି।

