Odisha T20 League: Odisha ଟି୨୦ର ଧମାକାଦାର ଆରମ୍ଭ, ଉଦ୍ଘାଟନୀ ମ୍ୟାଚ୍ରେ ସମ୍ବଲପୁର ୱାରିୟର୍ସର ଦମଦାର ବିଜୟ
କଟକ: ବାରବାଟୀ ଷ୍ଟାଡିୟମରେ ଜମିଛି Odisha T20 League-CM Trophyର ମାହୋଲ। ଉଦ୍ଘାଟନୀ ମ୍ୟାଚ୍ରେ ସମ୍ବଲପୁର ୱାରିୟର୍ସ ୯ ରନ୍ରେ କଟକ ପାନ୍ଥର୍ସକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରି ସମ୍ବଲପୁର ୨୦ ଓଭରରେ ୮ ୱିକେଟ୍ ହରାଇ ୧୯୩ ରନ୍ କରିଥିବା ବେଳେ ଜବାବରେ କଟକ ୯ ୱିକେଟ୍ ହରାଇ ୧୮୪ ରନ୍ରେ ଅଟକିଥିଲା।
ମ୍ୟାଚ୍ରେ ସମ୍ବଲପୁର ଅଧିନାୟକ ଗୌରବ ଚୌଧୁରୀଙ୍କ ଦମଦାର ବ୍ୟାଟିଂ ବିଜୟର ମୁଖ୍ୟ ଆଧାର ପାଲଟିଥିଲା। ସେ ୪୬ ବଲ୍ରୁ ୮୮ ରନ୍ କରିଥିଲେ। ତାଙ୍କ ସହ ଶାନ୍ତନୁ ମିଶ୍ର ୬୦ ରନ୍ କରି ସମ୍ବଲପୁରକୁ ବଡ଼ ସ୍କୋର ଦେଇଥିଲେ। ଜବାବରେ କଟକ ପାଇଁ କାର୍ତ୍ତିକ ବିଶ୍ୱାଳ ୫୬ ରନ୍ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ।
ଉଦ୍ଘାଟନୀ ସମାରୋହରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଓ ଦେବାଶିଷ ମହାନ୍ତି ବ୍ରାଣ୍ଡ ଆମ୍ବାସାଡର ଭାବେ ଯୋଗ ଦେଇଥିଲେ। ଓସିଏର ଏହି ଲିଗ୍ ରାଜ୍ୟର ଯୁବ କ୍ରିକେଟରଙ୍କୁ ପ୍ରଫେସନାଲ୍ ପରିବେଶରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ଦେଉଛି। ରାଇନା ମଧ୍ୟ ଯୁବ ଖେଳାଳିଙ୍କୁ ଏହି ସୁଯୋଗର ସଦୁପଯୋଗ କରି ନିଜ ଖେଳକୁ ଆଗକୁ ନେବାକୁ କହିଛନ୍ତି।

