Pakistan Football Team: ବନ୍ଧୁକ ଦେଖାଇ କରାଚି ଫୁଟବଲ୍ ଟିମ୍କୁ ଲୁଟ୍, କୋଟା ଯାଉଥିବା ବସ୍କୁ ଅଟକାଇଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ:ପାକିସ୍ତାନର ବେଲୁଚିସ୍ତାନରେ କରାଚିର ଏକ ଫୁଟବଲ୍ ଟିମ୍ ସହ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଚିଫ୍ ମିନିଷ୍ଟର୍ସ ଗୋଲ୍ଡ କପ୍ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ କୋଟା ଯାଉଥିବା କରାଚି ଡିଷ୍ଟ୍ରିକ୍ଟ ୱେଷ୍ଟ ଫୁଟବଲ୍ ଟିମ୍ର ବସ୍କୁ ହାଇୱେରେ ବନ୍ଧୁକ ଦେଖାଇ ଅଟକାଇ ଦିଆଯାଇଥିଲା। ମସ୍ତୁଙ୍ଗ ଓ ସାରିଆବ ମଧ୍ୟରେ ପ୍ରାୟ ଏକ ଡଜନ୍ ସଶସ୍ତ୍ର ବ୍ୟକ୍ତି ବସ୍କୁ ଅଟକାଇ ଖେଳାଳି ଓ ଅନ୍ୟ ଯାତ୍ରୀଙ୍କୁ ତଳକୁ ଓହ୍ଲାଇଥିବା ଜଣାପଡ଼ିଛି। ଏହାପରେ ଦୁର୍ବୃତ୍ତମାନେ ଖେଳାଳିଙ୍କ ନଗଦ ଟଙ୍କା, ମୋବାଇଲ୍ ଫୋନ୍ ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ନେଇଯାଇଥିବା ଅଭିଯୋଗ ହୋଇଛି।
ଲୁଟ୍ ସମୟରେ କିଛି ଯାତ୍ରୀଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସୁରକ୍ଷାକୁ ନେଇ ଫୁଟବଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ୱେଟା ଯିବା ପାଇଁ ବସ୍ କିମ୍ବା ଟ୍ରେନ୍ ବ୍ୟବହାର ନକରିବାକୁ ସତର୍କ କରାଯାଇଥିଲା। ତଥାପି କରାଚି ଡିଷ୍ଟ୍ରିକ୍ଟ ୱେଷ୍ଟ ଟିମ୍ ବସ୍ ଯୋଗେ ଯାତ୍ରା କରିଥିଲା। ଘଟଣା ପରେ ଟିମ୍ ଟଙ୍କା ଓ ଆବଶ୍ୟକ ସାମଗ୍ରୀ ବିନା କୋଟାରେ ପହଞ୍ଚିଥିଲା।
କୋଟାରେ ପହଞ୍ଚିବା ପରେ ଖେଳାଳିମାନେ ଘଟଣା ସମ୍ପର୍କରେ ବେଲୁଚିସ୍ତାନ କ୍ରୀଡ଼ାମନ୍ତ୍ରୀଙ୍କୁ ଜଣାଇଥିଲେ। ପରେ ଟିମ୍ର ଦୈନିକ ଖର୍ଚ୍ଚ ପାଇଁ ଭତ୍ତା ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ସୁରକ୍ଷା ସତର୍କତା ସତ୍ତ୍ୱେ ଟିମ୍ ସହ ଏଭଳି ଲୁଟ୍ ଘଟଣା ବାଲୋଚିସ୍ତାନରେ କ୍ରୀଡ଼ା ଦଳଙ୍କ ଯାତାୟାତ ଓ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି।

