Cuttack Bali Jatra 2026: କଟକ ବାଲିଯାତ୍ରା ପ୍ଲଟ୍ ପାଇଁ ଆଜିଠୁ ଆବେଦନ, ନଭେମ୍ବର ୨ରୁ ଆରମ୍ଭ ହେବ ନିଲାମ ପ୍ରକ୍ରିୟା
କଟକ: କଟକର ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ୍ ନେବାକୁ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ଏହି ମେଳା ପାଇଁ ବାରବାଟୀ ପ୍ୟାଲେସ୍ରେ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ଦୁଇଟି ପର୍ଯ୍ୟାୟରେ ଆବେଦନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ଆବେଦନ ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବର ୨୬ରୁ ୩୦ ତାରିଖ ଯାଏଁ ଆବେଦନ କରିହେବ।
ପ୍ଲଟ୍ ନିଲାମ ପ୍ରକ୍ରିୟା ନଭେମ୍ବର ୨ରୁ ଆରମ୍ଭ ହେବ। ନିଲାମ ପରେ ଯେଉଁ ପ୍ଲଟ୍ଗୁଡ଼ିକ ବଳକା ରହିବ, ସେଗୁଡ଼ିକୁ ସ୍ପଟ୍ ନିଲାମ ମାଧ୍ୟମରେ ବିକ୍ରି କରାଯିବ। ଏଥର ବାଲିଯାତ୍ରା ତଳ ଓ ଉପର ପଡ଼ିଆ—ଉଭୟ ସ୍ଥାନରେ ଆୟୋଜିତ ହେବ। ତଳ ପଡ଼ିଆରେ ୧,୪୫୨ଟି ଏବଂ ଉପର ପଡ଼ିଆରେ ୫୯୨ଟି ଷ୍ଟଲ୍ ରହିବାର ଯୋଜନା ରହିଛି।
ପ୍ଲଟ୍ର ମୂଲ୍ୟ ବର୍ଗଫୁଟ୍ ପିଛା ୬୦ରୁ ୬୫ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଆବେଦନ ଏବଂ ପରେ ନିଲାମ ପ୍ରକ୍ରିୟା ହେବାକୁ ଥିବାରୁ ବାଲିଯାତ୍ରାରେ ଷ୍ଟଲ୍ ଖୋଲିବାକୁ ଆଗ୍ରହୀ ବ୍ୟବସାୟୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରିପାରିବେ।

