Maharashtra Truck Accident: ସ୍କୁଟିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍, ବମ୍ପର ଧରି ଅଳ୍ପକେ ବର୍ତ୍ତିଲେ ଯୁବତୀ
ମହାରାଷ୍ଟ୍ର: ମହାରାଷ୍ଟ୍ରର ଅହିଲ୍ୟାନଗରରେ ଏକ ବାଲି ବୋଝେଇ ଟ୍ରକ୍ ସ୍କୁଟିକୁ ଧକ୍କା ଦେବା ପରେ ଜଣେ ଯୁବତୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣାଟି ବେଲାପୁର ରୋଡ୍ରେ ଘଟିଥିବା ବେଳେ ଏହାର ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଟ୍ରକ୍ଟି ରାସ୍ତାରେ ଆଗକୁ ଆସି ହଠାତ୍ ଡାହାଣକୁ ମୋଡ଼ ନେଉଥିବା ଦେଖାଯାଉଛି। ଏହି ସମୟରେ ପାଖରେ ଯାଉଥିବା ସ୍କୁଟିକୁ ଟ୍ରକ୍ଟି ଧକ୍କା ଦେଇଥିଲା।
ଧକ୍କା ପରେ ଯୁବତୀ ଜଣକ ଟ୍ରକ୍ର ବମ୍ପରକୁ ଧରି ରହିଥିବାରୁ ବଡ଼ ବିପଦରୁ ବର୍ତ୍ତିଯାଇଥିବା ଭିଡିଓରୁ ଜଣାପଡ଼ିଛି। କିଛି ସମୟ ପରେ ସେ ଉଠି ଚାଲିଯାଉଥିବା ବେଳେ ଘଟଣାସ୍ଥଳରେ ଥିବା ଲୋକେ ତାଙ୍କ ଅବସ୍ଥା ବୁଝିବାକୁ ଆସିଥିଲେ। ଏହାପରେ ଟ୍ରକ୍ ଚାଳକ ମଧ୍ୟ ଗାଡ଼ିରୁ ଓହ୍ଲାଇ ସ୍କୁଟିକୁ ଯାଞ୍ଚ କରୁଥିବା ଦେଖାଯାଇଛି। ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବା ପରେ ଚାଳକ ଘଟଣାସ୍ଥଳ ଛାଡ଼ି ପଳାଇଥିବା ଦାବି କରାଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଟ୍ରକ୍ରେ ନମ୍ବର ପ୍ଲେଟ୍ ନଥିଲା ଏବଂ ଏହା ବୈଜାପୁରର ମହଲଗାଓଁ ବାଲି ନିଲାମ ସହ ଜଡ଼ିତ ଥିବା କୁହାଯାଉଛି। ତେବେ ଏହି ଦାବିର ପ୍ରକୃତ ସତ ଏପର୍ଯ୍ୟନ୍ତ ଜଣାପଡିନାହିଁ | ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଚଳାଚଳ କରୁଥିବା ଏବଂ ଅତ୍ୟଧିକ ବେଗରେ ଯାଉଥିବା ବାଲି ବୋଝେଇ ଟ୍ରକ୍କୁ ନେଇ ପୁଣି ଚିନ୍ତା ବଢ଼ିଛି। ଏଭଳି ଗାଡ଼ି ବିରୋଧରେ କଡ଼ା ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

