Supreme Court Reservation Verdict: ଧର୍ମ ପରିବର୍ତ୍ତନ କଲେ ହରାଇବେ SC ମାନ୍ୟତା, ଆରକ୍ଷଣ ଓ ଆଇନଗତ ସୁରକ୍ଷା ଉପରେ ବଡ଼ ରାୟ!
ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ ପରେ ଅନୁସୂଚିତ ଜାତି (SC) ମାନ୍ୟତା ଓ ଏହା ଆଧାରରେ ମିଳୁଥିବା ସୁବିଧାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସଂବିଧାନ (ଅନୁସୂଚିତ ଜାତି) ଆଦେଶ, ୧୯୫୦ ଅନୁସାରେ, ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ SC ମାନ୍ୟତା ମିଳିପାରିବ ନାହିଁ। ଏହି ନିୟମ ଅନୁସାରେ ଧର୍ମ ପରିବର୍ତ୍ତନ ପରେ SC ମାନ୍ୟତା ଆଧାରରେ ମିଳୁଥିବା ଆରକ୍ଷଣ ଓ ସମ୍ପୃକ୍ତ ଆଇନଗତ ସୁରକ୍ଷା ଉପରେ ପ୍ରଭାବ ପଡ଼ିଥାଏ।
Chinthada Anand ବନାମ ଆନ୍ଧ୍ରପ୍ରଦେଶ ରାଜ୍ୟ ମାମଲାରେ ସୁପ୍ରିମକୋର୍ଟ ଏହି ନିୟମକୁ ସ୍ପଷ୍ଟ କରିଥିଲେ। ମାମଲାର ଆବେଦନକାରୀ ଚିନ୍ଥାଡା ଆନନ୍ଦ ମାଦିଗା ସମୁଦାୟର ହୋଇଥିବା ସହ ଖ୍ରୀଷ୍ଟଧର୍ମର ପାଦ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୋଧରେ ହୋଇଥିବା ଜାତିଗତ ଅପମାନ ଓ ଆକ୍ରମଣ ସମ୍ପର୍କିତ ଅଭିଯୋଗରେ SC/ST ଅତ୍ୟାଚାର ନିରୋଧ ଆଇନ ଲାଗୁ ହେବ କି ନାହିଁ, ତାହା ମାମଲାର ମୁଖ୍ୟ ପ୍ରସଙ୍ଗ ଥିଲା। ଧର୍ମ ପରିବର୍ତ୍ତନ ପରେ ସେ SC ମାନ୍ୟତାର ଯୋଗ୍ୟ ନୁହନ୍ତି ବୋଲି କୋର୍ଟ କହିଥିଲେ।
ଏହି ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, SC ମାନ୍ୟତା କେବଳ ଜନ୍ମଗତ ପରିଚୟ ଉପରେ ନୁହେଁ, ବରଂ ସଂବିଧାନରେ ନିର୍ଦ୍ଧାରିତ ଧର୍ମ ସମ୍ବନ୍ଧୀୟ ସର୍ତ୍ତ ଉପରେ ମଧ୍ୟ ନିର୍ଭର କରେ। ତେଣୁ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ ନହେଲେ SC ମାନ୍ୟତା ଓ ଏହା ଆଧାରରେ ମିଳୁଥିବା ସୁବିଧା ଦାବି କରାଯାଇପାରିବ ନାହିଁ।

