Odisha Student Union Election Results: ଆସିଲା ଛାତ୍ର ସଂସଦ ନିର୍ବାଚନର ଫଳାଫଳ! ଅଧିକାଂଶ କଲେଜରେ ABVPର ବିଜୟ, କେଉଁଠି ହିଂସା ତ କେଉଁଠି ବାଲଟ୍ ବକ୍ସ ଭଙ୍ଗାରୁଜା
ଭୁବନେଶ୍ୱର: ଓଡ଼ିଶାରେ ଶେଷ ହୋଇଛି ଛାତ୍ର ସଂସଦ ନିର୍ବାଚନ। ଭୋଟ୍ ଗ୍ରହଣ ପରେ ବିଭିନ୍ନ କଲେଜର ଫଳାଫଳ ପ୍ରକାଶ ପାଇଛି। ଅନେକ କଲେଜରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ କେତେକ ସ୍ଥାନରେ ବିଜୁ ଛାତ୍ର ଜନତା ଦଳ (BCJD)ର ପ୍ରାର୍ଥୀ ମଧ୍ୟ ବାଜିମାତ୍ କରିଛନ୍ତି। ଭୁବନେଶ୍ୱରର ବିଜେବି କଲେଜ, ରାଜଧାନୀ କଲେଜ ଓ ଜୟଦେବ କଲେଜ ସମେତ ଅନୁଗୁଳ ମହିଳା କଲେଜ, ସମ୍ବଲପୁରର ଜିଏମ୍ ବିଶ୍ୱବିଦ୍ୟାଳୟ କଲେଜ, କେନ୍ଦ୍ରାପଡ଼ାର ମାର୍ଶାଘାଇ ଓ ଅନ୍ତେଇ କଲେଜ, କଟକର କିଶୋର କଲେଜ ଏବଂ ଧାମନଗର କଲେଜରେ ABVP ବିଜୟୀ ହୋଇଥିବା ସୂଚନା ମିଳିଛି। ଅନ୍ୟପଟେ ଦଶପଲ୍ଲାର ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ କଲେଜ, ଝାରସୁଗୁଡ଼ା, ବାସୁଦେବପୁର କଲେଜ ଓ କମଳା ନେହରୁ କଲେଜରେ BCJDର ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ନିର୍ବାଚନ ସମୟରେ କେତେକ କଲେଜରେ ଉତ୍ତେଜନା ଓ ଅପ୍ରୀତିକର ଘଟଣା ଘଟିଥିବା ଖବର ମିଳିଛି। ବାବା ବଳିଆ କଲେଜରେ ଅଣଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ହେବାରୁ ଜଣେ ଗୁରୁତର ଆହତ ହୋଇ ବାରିପଦା ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ସେହିପରି କାକଟପୁରରେ ଦୁର୍ବୃତ୍ତମାନେ ବାଲଟ୍ ବକ୍ସ ଭାଙ୍ଗିଥିବା ଅଭିଯୋଗ ହୋଇଛି। ଅଲାରନାଥ କଲେଜରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୬୩ ଲାଗୁ କରାଯାଇଥିବା ମଧ୍ୟ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୫ରେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ରାଜ୍ୟ ସରକାର ସବୁଜ ସଙ୍କେତ ଦେବା ପରେ ଅକ୍ଟୋବର ୫ରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଅକ୍ଟୋବର ୭ରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ୯ ତାରିଖରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ପ୍ରକ୍ରିୟା ଶେଷ ହେବା ସହ ବିଭିନ୍ନ କଲେଜରେ ଫଳାଫଳ ସାମ୍ନାକୁ ଆସିଛି।

