Bhubaneswar Traffic Police: ମଦ ପିଇ ଗାଡ଼ି ଚଳାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ, ପାର୍ବଣରେ ମୁତୟନ ହେବେ ୭୩ ଅଫିସର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ପାର୍ବଣ ସମୟରେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଟ୍ରାଫିକ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ସହରରେ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ, ଯାନବାହନ ଯାଞ୍ଚ ଓ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଟ୍ରାଫିକ୍ ପରିଚାଳନାରେ ୭୩ ଜଣ ଅଫିସରଙ୍କ ସହ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବେ।
ଟ୍ରାଫିକ୍ ଏସିପି ଉମାକାନ୍ତ ପ୍ରଧାନ ଗାଡ଼ି ଚାଳକମାନଙ୍କୁ ମଦ୍ୟପାନ କରି ଗାଡ଼ି ନ ଚଳାଇବା ଏବଂ ଦ୍ରୁତ ଗତିରୁ ଦୂରେଇ ରହିବାକୁ ଅପିଲ୍ କରିଛନ୍ତି। ପାର୍ବଣ ସମୟରେ ରାସ୍ତାରେ ଭିଡ଼ ବଢ଼ୁଥିବାରୁ ଯାତାୟାତକୁ ସୁଗମ କରିବା ସହ ଦୁର୍ଘଟଣା ରୋକିବା ଉପରେ ପୋଲିସ ନଜର ରଖିବ। ମଦ ପିଇ ଗାଡ଼ି ଚଳାଉଥିବା ଏବଂ ବେପରୁଆ ଭାବେ ଯାନବାହନ ଚଳାଉଥିବା ଚାଳକଙ୍କୁ ଚିହ୍ନଟ କରିବା ପାଇଁ ଯାଞ୍ଚ ପ୍ରକ୍ରିୟା ଜାରି ରହିବ।
ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଚାଳକଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ ସତର୍କ କରାଯାଇଛି। ପାର୍ବଣ ସମୟରେ ଦୁର୍ଘଟଣା ହ୍ରାସ କରିବା ସହ ସହରବାସୀ ଓ ବାହାରୁ ଆସୁଥିବା ଲୋକଙ୍କ ଯାତାୟାତକୁ ସୁରକ୍ଷିତ ରଖିବା ଏହି ପଦକ୍ଷେପର ଲକ୍ଷ୍ୟ।

