Kerala Murder Case: ପ୍ରେମ ସମ୍ପର୍କର ଅନ୍ତ ହେଲା ହତ୍ୟାରେ, ୧୮ ବର୍ଷୀୟା ଯୁବତୀଙ୍କୁ ମାରି ଶବ ଜାଳିଦେବା ଅଭିଯୋଗରେ ପୂର୍ବତନ ପ୍ରେମିକ ଗିରଫ
କେରଳ: କେରଳର ଇଡୁକ୍କି ଜିଲ୍ଲାରେ ଏକ ପ୍ରେମ ସମ୍ପର୍କକୁ ନେଇ ଭୟଙ୍କର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୧୮ ବର୍ଷୀୟା ନିତ୍ୟାଙ୍କୁ ହତ୍ୟା କରିବା ପରେ ତାଙ୍କ ଶବରେ ନିଆଁ ଲଗାଇଥିବା ଅଭିଯୋଗରେ ୧୯ ବର୍ଷୀୟ ନିଶାନ୍ତଙ୍କୁ ପୋଲିସ ଗିରଫ କରିଛି। ନିତ୍ୟା ତାମିଲନାଡୁର ବୋଡିନାୟକାନୁର ଅଞ୍ଚଳର ବାସିନ୍ଦା ଥିଲେ। ପୋଲିସର ସୂଚନା ଅନୁସାରେ, ଉଭୟଙ୍କ ମଧ୍ୟରେ ୨୦୨୩ରୁ ପ୍ରେମ ସମ୍ପର୍କ ଥିଲା, କିନ୍ତୁ ପରେ ସେମାନଙ୍କର ବ୍ରେକ୍ଅପ୍ ହୋଇଯାଇଥିଲା।
ଅଭିଯୋଗ ଅନୁସାରେ, ସମ୍ପର୍କ ବିଷୟରେ କଥା ହେବାକୁ କହି ନିଶାନ୍ତ ନିତ୍ୟାଙ୍କୁ ଅକ୍ଟୋବର ୧୧ ତାରିଖ ଅପରାହ୍ନ ପ୍ରାୟ ୨ଟା ୩୦ରେ ପୁପ୍ପାରାର ଏକ ଚା’ ବଗିଚାକୁ ଡାକିଥିଲେ। ସେଠାରେ ଆଲୋଚନା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ନିଶାନ୍ତ ନିତ୍ୟାଙ୍କୁ ତଣ୍ଟି ଚିପିବା ସହ ପଥରରେ ଆକ୍ରମଣ କରି ହତ୍ୟା କରିଥିବା ପୋଲିସ କହିଛି। ପରେ ରାତି ୧୦ଟା ପରେ ସେ ନିଜ ଅଟୋରିକ୍ସାରେ ଶବକୁ ପାମ୍ବଲା ଡ୍ୟାମ୍ ଅଞ୍ଚଳକୁ ନେଇଥିଲେ ଏବଂ ସାଙ୍ଗରେ ଆଣିଥିବା ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ଅଭିଯୋଗ ହୋଇଛି।
ଡ୍ୟାମ୍ ନିକଟରୁ ଯୁବତୀଙ୍କ ଜଳିଯାଇଥିବା ଶବ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଘଟଣା ପରେ ନିଶାନ୍ତ ମୋବାଇଲ୍ ଫୋନ୍ ବନ୍ଦ କରି ଆତ୍ମଗୋପନ କରିଥିବା ବେଳେ ପୋଲିସ ରାଜାକୁମାରୀ ଅଞ୍ଚଳରୁ ତାଙ୍କୁ ଧରିଥିଲା। ହତ୍ୟା ପଛର କାରଣ ଓ ଘଟଣାର ସମସ୍ତ ପରିସ୍ଥିତି ସମ୍ପର୍କରେ ତଦନ୍ତ ଜାରି ରହିଛି।

