Tiger Shroff Firing Case: କୋଟାରୁ ୨ ଗିରଫ, ଜଣେ ନାବାଳକ ଅଟକ; Bishnoi Gangର ଧମକ ପରେ ତଦନ୍ତ ଜୋରଦାର
ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ କାର୍ ଉପରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଗୁଳିମାଡ଼ ଘଟଣାରେ ରାଜସ୍ଥାନର କୋଟାରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକକୁ ଅଟକ ରଖାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ହରିୟାଣାର ରେହାନ ଓ ୧୭ ବର୍ଷୀୟ ଜଣେ ନାବାଳକ ଏବଂ ବିହାରର ହ୍ରିତିକ କୁମାର ଥିବା ରିପୋର୍ଟରେ କୁହାଯାଇଛି। ମୁମ୍ବାଇ ପୋଲିସର ସୂଚନା ଆଧାରରେ ରାଜସ୍ଥାନ ଆଣ୍ଟି-ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ ଓ କୋଟା ସିଟି ପୋଲିସର ମିଳିତ ଟିମ୍ ରେଳବାଇ କଲୋନୀ ଅଞ୍ଚଳରୁ ସେମାନଙ୍କୁ ଧରିଥିଲା। ଅଭିଯୁକ୍ତମାନେ ସକାଳ ପ୍ରାୟ ୧୦ଟା ୧୫ରେ ପୁଣେ-ଜୟପୁର ସୁପରଫାଷ୍ଟ ଏକ୍ସପ୍ରେସ୍ରେ କୋଟାରେ ପହଞ୍ଚିଥିବା ସୂଚନା ମିଳିଛି।
ଏହି ଗୁଳିମାଡ଼ ଘଟଣାରେ ଆଉ ଦୁଇ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମହାରାଷ୍ଟ୍ର-ଗୁଜରାଟ ସୀମା ଅଞ୍ଚଳରୁ ଅଟକ ରଖାଯାଇଛି। ଅନ୍ୟପଟେ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ଗୁଳିମାଡ଼ର ଦାୟିତ୍ୱ ନେଇଥିବା ଦାବି କରିବା ସହ ଅଭିନେତା ସଲମାନ ଖାନ୍ଙ୍କ ସହ କାମ କରୁଥିବା ଲୋକଙ୍କୁ ନୂଆ ଧମକ ଦେଇଥିବା ଖବର ପ୍ରକାଶ ପାଇଛି।
ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସ ପ୍ରଥମେ ଜୁହୁ ଥାନାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ପରେ ଏହି ମାମଲାକୁ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ରବିବାର ସନ୍ଧ୍ୟାରେ ଫୁଟ୍ବଲ୍ ଖେଳି ଫେରୁଥିବା ସମୟରେ ଟାଇଗରଙ୍କ କାର୍ ଉପରକୁ ଗୁଳି ଚଳାଯାଇଥିଲା। ଘଟଣାରେ ଅଭିନେତା ଆହତ ହୋଇନଥିବା ବେଳେ ତାଙ୍କ ଡ୍ରାଇଭର ଆହତ ହୋଇଥିଲେ।

