Ganjam Weather Alert: ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମରେ ପ୍ରସ୍ତୁତି ଜୋରଦାର, କଳାବଜାରୀ ରୋକିବା ଉପରେ ମଧ୍ୟ କଡ଼ା ନଜର
ଗଞ୍ଜାମ: ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି। ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଉଦ୍ଧାର, ରିଲିଫ୍, ଜଳ ନିଷ୍କାସନ ଓ ଜରୁରୀକାଳୀନ ସେବାର ପ୍ରସ୍ତୁତି ସମୀକ୍ଷା କରାଯାଇଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୬ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇ ୨୭ରୁ ୨୯ ତାରିଖ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ସମ୍ବେଦନଶୀଳ ଅଞ୍ଚଳ, କଳିଙ୍ଗା ଘାଟି ଓ ଜଳବନ୍ଦୀ ସମସ୍ୟା ଦେଖାଦେଉଥିବା ସ୍ଥାନଗୁଡ଼ିକ ଉପରେ ନଜର ରଖାଯାଇଛି।
ଜିଲ୍ଲାରେ ୧୧୦ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ସହ ୧,୦୦୦ରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଏଠାରେ ଏକାସାଙ୍ଗରେ ପ୍ରାୟ ୧ ଲକ୍ଷ ୫୦ ହଜାର ଲୋକ ରହିପାରିବେ। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୯ଟି ଓଡ୍ରାଫ୍ ଟିମ୍ ଓ ୨ଟି ଏନ୍ଡିଆର୍ଏଫ୍ ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇ ୨୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ କୁହାଯାଇଛି। ଡ୍ୟାମ୍ର ଜଳସ୍ତର, ଡ୍ରେନ୍ ସଫା ଓ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ମଧ୍ୟ ନଜର ରଖାଯାଉଛି।
ବାତ୍ୟା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ସୃଷ୍ଟି କରି ଅଧିକ ଦରରେ ବିକ୍ରି କରିବା ଭଳି କଳାବଜାରୀ ରୋକିବାକୁ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନେଇଛି। ଦୋକାନୀମାନଙ୍କୁ ଦୋକାନ ସମ୍ମୁଖରେ ଦର ତାଲିକା ଲଗାଇବା ଓ ନିର୍ଦ୍ଧାରିତ ଦରରେ ସାମଗ୍ରୀ ବିକ୍ରି କରିବାକୁ କୁହାଯାଇଛି। ସାମଗ୍ରୀର ମହଜୁଦ, ଯୋଗାଣ ଓ ଦର ଉପରେ ନଜର ରଖିବା ସହ ଅନିୟମିତତା ହେଲେ ତୁରନ୍ତ ପଦକ୍ଷେପ ନିଆଯିବ। ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବା, ପାଣିପାଗ ବିଭାଗର ସୂଚନା ମାନିବା ଏବଂ ଜରୁରୀ ପରିସ୍ଥିତିରେ ପ୍ରଶାସନର ସହଯୋଗ ନେବାକୁ ଅନୁରୋଧ କରିଛି।

