ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୬/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ସୁଶ୍ରୀ ଭାଗବତ ସାମଲ କଲ୍ୟାଣରାଓ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର, ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ।ଉକ୍ତ ଶିବିରରେ ମୋଟ ୧୪ ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୬ଟି ବ୍ୟକ୍ତିଗତ ଏବଂ ୮ଟି ଗ୍ରାମଭିତ୍ତିକ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା। ଅନ୍ୟ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ମନରେଗା, ଗୃହ ନିର୍ମାଣ, ରାସନ କାର୍ଡ, ଶିକ୍ଷା, ଜଳସେଚନ, ରାସ୍ତା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣ ଅଭିଯୋଗ ଆସିଥିଲା।ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବି.ସାୟାମ୍ମା, ସ୍ଥାନୀୟ ତହସିଲଦାର ଶ୍ରୀ ସୁଦିର କୁମାର ନନ୍ଦ ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।

