Iceberg Diving: ୫୦ ଫୁଟ୍ ଉଚ୍ଚ ବରଫ ପାହାଡ଼ରୁ ଡେଇଁଲେ ମହିଳା, ରଚିଲେ ଇତିହାସ
ନୂଆଦିଲ୍ଲୀ: କାନାଡାର ପେସାଦାର କ୍ଲିଫ୍ ଡାଇଭର ମଲି କାର୍ଲସନ୍ ଏକ ନିଆରା ସଫଳତା ହାସଲ କରିଛନ୍ତି। ସେ ଏକ ସ୍ୱତନ୍ତ୍ର ଭାବେ ଭାସୁଥିବା ବରଫ ପାହାଡ଼ ବା ଆଇସବର୍ଗରୁ ଡେଇଁବାରେ ପ୍ରଥମ ମହିଳା ହୋଇ ଇତିହାସ ରଚିଛନ୍ତି। ଜୁନ୍ ୧୧ ତାରିଖରେ କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଉପକୂଳରେ ଥିବା ଆଟଲାଣ୍ଟିକ୍ ମହାସାଗରରେ ପ୍ରାୟ ୫୦ ଫୁଟ୍ ଉଚ୍ଚତାରୁ ସେ ପଛକୁ ଡେଇଁ ଏହି ଦୁଃସାହସିକ କାରନାମା କରିଥିଲେ। କାର୍ଲସନ୍ଙ୍କ ବୟସ ୨୮ ବର୍ଷ।
ଏହି ବିପଦପୂର୍ଣ୍ଣ ଡାଇଭ୍ ପାଇଁ ତାଙ୍କୁ ପ୍ରସିଦ୍ଧ ବରଫ ପର୍ବତାରୋହୀ ୱିଲ୍ ଗ୍ୟାଡ୍ ପ୍ରଶିକ୍ଷଣ ଦେଇଥିଲେ। ଅସ୍ଥିର ଆଇସବର୍ଗ ଉପରକୁ ଚଢ଼ିବା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା। କାରଣ ଏହା ଯେକୌଣସି ସମୟରେ ଫାଟିଯିବା, ଭାଙ୍ଗିପଡ଼ିବା କିମ୍ବା ଓଲଟିଯିବାର ଆଶଙ୍କା ଥିଲା। ଏତେ ବିପଦ ସତ୍ତ୍ୱେ ସେ ନିଜ ଲକ୍ଷ୍ୟ ପୂରଣ କରିଥିଲେ।
କାର୍ଲସନ୍ ଏହି ଅନୁଭୂତିକୁ ନିଜ ଜୀବନର ସବୁଠାରୁ ଭୟଙ୍କର ଅଭିଜ୍ଞତା ବୋଲି କହିଛନ୍ତି। ତେବେ ତାଙ୍କ ପାଇଁ ଏହା କେବଳ ଏକ ଦୁଃସାହସିକ ଡାଇଭ୍ ନଥିଲା; ବରଂ ନିଜ ଭୟର ସାମ୍ନା କରିବା ଓ ବ୍ୟକ୍ତିଗତ ସଂଘର୍ଷକୁ ଅତିକ୍ରମ କରିବାର ଏକ ପ୍ରୟାସ ଥିଲା। ତାଙ୍କର ଏହି ସଫଳତା ସାହସ ଓ ଆତ୍ମବିଶ୍ୱାସର ଏକ ନିଆରା ଉଦାହରଣ ପାଲଟିଛି।

