Microsoft voluntary exit Programme : AIରେ ନିବେଶ ବଢ଼ାଇବାକୁ ଖର୍ଚ୍ଚ କମାଇବ ,୬୦ ହଜାର କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ଏକ୍ଜିଟ୍ ପ୍ରୋଗ୍ରାମ୍
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ବିଶ୍ୱସ୍ତରରେ ପ୍ରାୟ ୬୦ ହଜାର କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ଚାକିରି ଛାଡ଼ିବା କାର୍ଯ୍ୟକ୍ରମ ଘୋଷଣା କରିଛି। ଏଥିରେ ଭାରତ, ଆମେରିକା, ବ୍ରିଟେନ୍ ଓ କାନାଡାର ଯୋଗ୍ୟ କର୍ମଚାରୀମାନେ ସାମିଲ ହୋଇପାରିବେ। କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ନିବେଶ ବଢ଼ାଇବା ସହ ଖର୍ଚ୍ଚ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ କମ୍ପାନୀ ଏହି ପଦକ୍ଷେପ ନେଇଛି।
ଏହି ଯୋଜନା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲାଗୁ ହେବ ଏବଂ ଚୟନିତ ଟିମ୍ର ଉପସଭାପତି (Vice President) ପଦବୀ ଓ ତା’ଠାରୁ ତଳ ପାହ୍ୟାର ଯୋଗ୍ୟ କର୍ମଚାରୀମାନେ ଏଥିରେ ଆବେଦନ କରିପାରିବେ। ତେବେ ଡାଟା ସେଣ୍ଟର, ବିକ୍ରୟ ଓ ମାର୍କେଟିଂ ବିଭାଗର କିଛି ପଦବୀକୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି। ମାଇକ୍ରୋସଫ୍ଟର ଭାରତରେ ପ୍ରାୟ ୨୩ ହଜାର କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ କେତେ ଜଣ ଏହି ସୁଯୋଗ ପାଇବେ, ତାହା କମ୍ପାନୀ ସ୍ପଷ୍ଟ କରିନାହିଁ।
କମ୍ପାନୀ ଅନୁସାରେ, ଏହି କାର୍ଯ୍ୟକ୍ରମ ଯୋଗ୍ୟ କର୍ମଚାରୀଙ୍କୁ ଅନ୍ୟ କ୍ଷେତ୍ରରେ ସୁଯୋଗ ଖୋଜିବାର ସ୍ୱାଧୀନତା ଦେବା ସହ ବଦଳୁଥିବା ବ୍ୟବସାୟିକ ଆବଶ୍ୟକତା ଅନୁଯାୟୀ କର୍ମଚାରୀଙ୍କ ସଂଖ୍ୟା ଓ ଦାୟିତ୍ୱର ପୁନର୍ବିନ୍ୟାସରେ ସହାୟତା କରିବ। ତେବେ ଏହା ସମସ୍ତ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ ଛଟେଇ ନୁହେଁ; ଯୋଗ୍ୟ କର୍ମଚାରୀମାନେ ସ୍ୱେଚ୍ଛାରେ ଏହି ଯୋଜନାରେ ଭାଗ ନେଇପାରିବେ।

