ECI on Gyanesh Kumar: SIR ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟରେ ଭାରତୀୟ ନିର୍ବାଚନ କମିଶନଙ୍କ ସଫେଇ, ସବୁ ଆଦେଶ ସର୍ବସମ୍ମତିରେ ହୋଇଥିବା ଦାବି
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR)କୁ ନେଇ ଏକପାଖିଆ ନିଷ୍ପତ୍ତି ନିଆଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ନିର୍ବାଚନ କମିଶନ (ECI)। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏକାକୀ ନିଷ୍ପତ୍ତି ନେଉଥିବା ଅଭିଯୋଗର ଜବାବରେ କମିଶନ ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରେ କହିଛି ଯେ, SIR ସମ୍ପର୍କିତ ତିନୋଟି ଆଦେଶ ତିନିଜଣିଆ ନିର୍ବାଚନ କମିଶନଙ୍କ ସର୍ବସମ୍ମତିରେ ଗୃହୀତ ହୋଇଥିଲା।
CECଙ୍କ କାର୍ଯ୍ୟପ୍ରଣାଳୀ ଏବଂ SIR ସମ୍ପର୍କିତ ଫର୍ମରେ ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନର ଜବାବରେ ECI ଏହି ସତ୍ୟପାଠ ଦାଖଲ କରିଛି। କମିଶନ କହିଛି ଯେ, ଏକକ ଖବର ରିପୋର୍ଟକୁ ଆଧାର କରି ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗ କରାଯାଇଛି। ଏହାସହ ସତ୍ୟପାଠକୁ ଜ୍ଞାନେଶ କୁମାର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନର ସର୍ବସମ୍ମତିରେ ଅନୁମୋଦନ କରିଥିବା ମଧ୍ୟ କମିଶନ ସ୍ପଷ୍ଟ କରିଛି।
ECI ଆହୁରି କହିଛି ଯେ, ଆଭ୍ୟନ୍ତରୀଣ ଆଲୋଚନା ସମୟରେ CEC କିମ୍ବା ଅନ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଦିଆଯାଉଥିବା ପରାମର୍ଶ, ମତାମତ କିମ୍ବା ପ୍ରଶ୍ନକୁ କମିଶନର ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ଧରାଯାଇପାରିବ ନାହିଁ। ଏହି ବ୍ୟାଖ୍ୟା ମାଧ୍ୟମରେ ନିଷ୍ପତ୍ତି ନେବା ପ୍ରକ୍ରିୟା ଏକାଧିକାରୀ ନୁହେଁ, ବରଂ ସାମୂହିକ ଭାବେ ହୋଇଥିବା ନେଇ ନିର୍ବାଚନ କମିଶନ ନିଜ ପକ୍ଷ ରଖିଛି।

