Cyclone Arnab Update: ଓଡ଼ିଶା ମୁହାଁ ବାତ୍ୟା ‘ଅର୍ଣ୍ଣବ’ ରାଜ୍ୟରେ ବର୍ଷା ଓ ୭୦ କିମି ପର୍ଯ୍ୟନ୍ତ ବଢ଼ିପାରେ ପବନର ବେଗ! ୫ ଜିଲ୍ଲାକୁ ରେଡ୍ ଆଲର୍ଟ
ଭୁବନେଶ୍ୱର: ଆନ୍ଧ୍ରର ୟାନାମ୍ ନିକଟରେ ସ୍ଥଳଭାଗ ଛୁଇଁବା ପରେ ଆଜି ଓଡ଼ିଶା ମୁହାଁ ହେଉଛି ବାତ୍ୟା ‘ଅର୍ଣ୍ଣବ’। ଏହାର ପ୍ରଭାବରେ ଓଡ଼ିଶାରେ ପାଗ ମଧ୍ୟ ପ୍ରଭାବିତ ହୋଇଛି। ଅକ୍ଟୋବର ୨୮ ତାରିଖର ପାଣିପାଗ ସୂଚନା ଅନୁସାରେ, ଆଜି ଦିନ ୧୨ ଟାରୁ ୧ ମଧ୍ୟରେ ଏହା ଓଡ଼ିଶା ଦେଇ ଛତିଶଗଡ ଆଡ଼କୁ ଗତି କରି ଧୀରେ ଦୁର୍ବଳ ହେବ।
ଏଥିଯୋଗୁଁ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନକୁ ନେଇ ସତର୍କତା ଜାରି ରହିଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ରେଡ୍ ଆଲର୍ଟ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଏବଂ ଝଟକାରେ ୮୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ଅନ୍ୟପଟେ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କନ୍ଧମାଳ, କଳାହାଣ୍ଡି ଓ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ଜାରି ରହିଛି । ପବନର ବେଗ ମଧ୍ୟ ୬୦ରୁ ୭୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଉପକୂଳ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

