Government Fund Scam: ଦୁଇ ବ୍ଲକରୁ ୨.୮୭ କୋଟି ଟଙ୍କା ହଡ଼ପ ଅଭିଯୋଗ, ବରିଷ୍ଠ କିରାଣିଙ୍କ ନାଁରେ ସଙ୍ଗିନ ଅଭିଯୋଗ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ଓ ରାଜକନିକା ବ୍ଲକରୁ ୨ କୋଟି ୮୭ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ବରିଷ୍ଠ କିରାଣି ଶଶିକାନ୍ତ ରଣାଙ୍କ ନାଁ ଉଠିଛି। ସେ ପୂର୍ବରୁ ରାଜକନିକା ବ୍ଲକରେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ଡେରାବିଶ ବ୍ଲକରେ କାର୍ଯ୍ୟରତ ଅଛନ୍ତି। ଟ୍ରେଜେରି ଅଫିସର ଯାଞ୍ଚ ସମୟରେ ସରକାରୀ ତହବିଲରୁ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।
ସୂଚନା ଅନୁଯାୟୀ, ଆଇଏମଏଫ୍ କୋଡ୍ରେ ପରିବର୍ତ୍ତନ କରି ରାଜକନିକା ବ୍ଲକରୁ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ଏବଂ ଡେରାବିଶ ବ୍ଲକରୁ ୧ କୋଟି ୬ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅର୍ଥ ବିଭିନ୍ନ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ପଠାଯାଇଥିବା କୁହାଯାଉଛି। ଟଙ୍କା ହଡ଼ପ ଅଭିଯୋଗ ପରେ କେନ୍ଦ୍ରାପଡ଼ା ଟ୍ରେଜେରି ଅଫିସର ସଚ୍ଚିଦାନନ୍ଦ ବେହେରା ଏହାର ତଦନ୍ତ କରିଥିଲେ।
ଯାଞ୍ଚ ପରେ ଅର୍ଥ ହଡ଼ପ ହୋଇଥିବା ଜଣାପଡ଼ିବା ପରେ ହଡ଼ପ ଟଙ୍କା ଆଦାୟ କରିବାକୁ ଦୁଇ ବ୍ଲକର ବିଡିଓଙ୍କୁ ଚିଠି ଲେଖାଯାଇଛି। ଏହି ଘଟଣାରେ ସରକାରୀ ଅର୍ଥର ହିସାବ ଓ ଦାୟିତ୍ୱ ନିର୍ଦ୍ଧାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଅଭିଯୋଗ ସମ୍ପର୍କରେ ଆଗାମୀ ଆଇନଗତ ପଦକ୍ଷେପ ସମ୍ପର୍କିତ ତଥ୍ୟ ଆସିବା ବାକି ରହିଛି।

