Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଳପଥ ଜମି ଅଧିଗ୍ରହଣ କ୍ଷତିପୂରଣ ବୃଦ୍ଧି ଦାବିରେ ଜମିହରା ଚାଷୀ ଙ୍କ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଙ୍କୁ ଦାବିପତ୍ର।

କଳାହାଣ୍ଡି,୧୧/୧୧
ଜୁନାଗଡ଼-ନବରଙ୍ଗପୁର ନୂତନ ବ୍ରଡ୍‌ଗେଜ୍ ରେଳପଥ ପ୍ରକଳ୍ପକୁ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ମଧ୍ୟରେ ନ୍ୟାୟୋଚିତ ଓ ଉଚିତ କ୍ଷତିପୂରଣ ଦାବି ଜୋର ଧରିଛି। ବିକାଶର ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଥିବା ଏହି ରେଳପଥ ପ୍ରକଳ୍ପ ପାଇଁ କୋକସରା ବ୍ଲକର ୭୦୦ ରୁ ଊର୍ଦ୍ଧ୍ୱ ଚାଷିଙ୍କ ୩୩୦ ଏକର ରୁ ଅଧିକ ଜମି ଅଧିଗ୍ରହଣ ନିମନ୍ତେ ଚିହ୍ନଟ ହୋଇଥିବାରୁ ପ୍ରଭାବିତ କୃଷକଙ୍କ ମଧ୍ୟରେ ଉଚିତ କ୍ଷତିପୂରଣକୁ ନେଇ ଚିନ୍ତା ବଢ଼ିଛି।
ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକର ପ୍ରାୟ ୨୦୦ ଜଣ ଜମିହରା କୃଷକ ଏକଜୁଟ ହୋଇ ବୁଧବାର ଭବାନୀପାଟଣା ଟାଉନ୍ ହଲ୍‌ ଠାରେ ଆୟୋଜିତ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ ସହ କଳାହାଣ୍ଡି ସାଂସଦ ମାଳବିକା ଦେବୀ,ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଏବଂ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ମଧ୍ୟ ଦାବିପତ୍ର ନକଲ ପ୍ରଦାନ କରିଥିଲେ।
ସୂଚନା ମତେ କୋକସରା ତହସିଲ ଅନ୍ତର୍ଗତ କୋକସରା,ପାଣିଗାଁ, ରେଙ୍ଗାଲପାଲି,କଛାରପଦର,ଡୋଙ୍ଗରିଗୁଡ଼ା,କୁସୁମଖୁଣ୍ଟି,ମୋଟେର, ମାଝୀଗୁଡ଼ା,ବଙ୍ଗୋମୁଣ୍ଡା,କର୍ଲାଗୁଡ଼ା, ବୋବରିଆ,ବଡ଼କେନ୍ଦୁଗୁଡ଼ା, ଡେଙ୍ଗାଗୁଡା,ବଡ଼ପୋଡ଼ାଗୁଡ଼ା ଆଦି ଗ୍ରାମର ଜମି ଏହି ରେଳପଥ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଛି। ଏହି ଜମିଗୁଡ଼ିକ ମଧ୍ୟରୁ ଅଧିକାଂଶ ଉର୍ବର ଓ ଖରିଫ ଓ ରବି ଜଳସେଚିତ ଦୁଇଫସଲ କୃଷିଜମି ଅଟେ। ଏହା ଉପରେ ଶହ ଶହ କୃଷକ ପରିବାରଙ୍କ ଜୀବନ ଜୀବିକା ନିର୍ଭର କରୁଥିବାରୁ ଜମି ହରାଇବା ପରେ ସେମାନଙ୍କ ଆର୍ଥିକ ସ୍ଥିତି ଓ ଭବିଷ୍ୟତ କୁ ନେଇ ଆଶଙ୍କା ଦେଖାଦେଇଛି।ଦାବିପତ୍ରରେ କୃଷକମାନେ ଉଲ୍ଲେଖ କରିଛନ୍ତି ଯେ, କେବଳ ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଆଧାରରେ ଜମିର କ୍ଷତିପୂରଣ ଦେବା ପରିବର୍ତ୍ତେ ବାସ୍ତବ ବଜାର ମୂଲ୍ୟ, ଜମିର ଉର୍ବରତା, ଜଳସେଚନ ସୁବିଧା, ବାର୍ଷିକ ଫସଲ ଉତ୍ପାଦନ ଓ ଭବିଷ୍ୟତ ଆୟର କ୍ଷତିକୁ ମଧ୍ୟ ବିଚାରକୁ ନିଆଯାଉ।ବିଶେଷକରି ଦୁଇଫସଲି ଜମିକୁ ଅନ୍ୟ ସାଧାରଣ ଜମି ସହ ସମାନ ଭାବେ ମୂଲ୍ୟାୟନ ନକରି ଜମିର ପ୍ରକୃତ ଆର୍ଥିକ ଓ କୃଷିଭିତ୍ତିକ ଗୁରୁତ୍ୱ ଅନୁସାରେ କ୍ଷତିପୂରଣ ନିର୍ଦ୍ଧାରଣ କରାଯାଉ। କୃଷକମାନେ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ରେଳପଥ ନିର୍ମାଣ କିମ୍ବା ଅଞ୍ଚଳର ବିକାଶକୁ ବିରୋଧ କରୁନାହାନ୍ତି, ବିକାଶର ଏହି ପ୍ରକ୍ରିୟା ରେ ଜମି ହରାଉଥିବା କୃଷକ ପରିବାରଙ୍କ ଜୀବିକା, ଆର୍ଥିକ ସୁରକ୍ଷା ଓ ଭବିଷ୍ୟତକୁ ଅଣଦେଖା ନକରି ନ୍ୟାୟସଙ୍ଗତ କ୍ଷତିପୂରଣ ଦିଆଯାଉ। ରେଳପଥ ନିର୍ମାଣ ଦ୍ୱାରା ଅଞ୍ଚଳର ଯୋଗାଯୋଗ ଓ ଅର୍ଥନୈତିକ ବିକାଶର ସମ୍ଭାବନା ବଢ଼ିବା ସହିତ ଜମିଦାତା କୃଷକଙ୍କ ସ୍ୱାର୍ଥ ମଧ୍ୟ ସୁରକ୍ଷିତ ରହିବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।ଦାବିପତ୍ର ପ୍ରଦାନ ସମୟରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ଲିଙ୍ଗରାଜ ବେହେରା,ଲକ୍ଷ୍ମୀ ନାରାୟଣ ପ୍ରଧାନୀ,ଅଜିତ କୁମାର ପଟ୍ଟନାୟକ,ଅନୀଲ ପ୍ରଧାନୀ, ପୁରୁଷୋତ୍ତମ ନାଏକ ସମେତ କୋକସରା ବ୍ଲକ ଅଞ୍ଚଳ ର ରେଳ ଲାଇନ ନେଇ ଜମି ଅଧିଗ୍ରହଣ ପାଇଁ ଜମି ହରାଉଥିବା ଶତାଧିକ ଚାଷୀମାନେ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ