Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଡ଼ୁଗାଁ ଉଚ୍ଚ ବିଦ୍ୟାଳୟରେ ଛାୟା ବିଧାନସଭା କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି,୦୭/୧୧
ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଡୁଗାଁଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚେତନା, ସମ୍ବିଧାନ ପ୍ରତି ସମ୍ମାନ ଏବଂ ସଂସଦୀୟ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ ଏକ ଆକର୍ଷଣୀୟ ‘ଛାୟା ବିଧାନସଭା’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଶନିବାର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଧାନସଭାର ପ୍ରକୃତ କାର୍ଯ୍ୟଧାରାକୁ ଅନୁକରଣ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ଶାସକ ଦଳର ସଦସ୍ୟ, ବିରୋଧୀ ଦଳର ନେତା, ସଚିବ ଏବଂ ଗଣମାଧ୍ୟମ ପ୍ରତିନିଧି ଭଳି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ।ବିରୋଧୀ ଦଳର ସଦସ୍ୟମାନେ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ତୀକ୍ଷ୍ଣ ଓ ଯୁକ୍ତିଯୁକ୍ତ ପ୍ରଶ୍ନ ପଚାରିଥିବା ବେଳେ ମନ୍ତ୍ରୀମାନେ ତଥ୍ୟଭିତ୍ତିକ ଉତ୍ତର ରଖି ନିଜ ବିଭାଗର ଯୋଜନା ଓ କାର୍ଯ୍ୟପନ୍ଥା ବିଷୟରେ ଗୃହକୁ ଅବଗତ କରାଇଥିଲେ।ଏହା କେବଳ ଏକ ଅଭିନୟ ନଥିଲା, ବରଂ ଭବିଷ୍ୟତର ଦାୟିତ୍ୱବାନ ନାଗରିକ ଗଠନ ଦିଗରେ ଏକ ଶିକ୍ଷଣୀୟ ପଦକ୍ଷେପ ଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋଜ କୁମାର ନାୟକଙ୍କ ମାର୍ଗଦର୍ଶନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଏବିଇଓ ଶ୍ରୀମନ୍ତ ଧରୁଆ ଯୋଗଦେଇ ଗଣତନ୍ତ୍ରରେ ଯୁବପିଢ଼ିଙ୍କ ଭୂମିକା ଓ ନାଗରିକ ଦାୟିତ୍ୱବୋଧ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଖିଳ ଚନ୍ଦ୍ର ଦାସ, ସାମାଜିକ କର୍ମୀ ସଞ୍ଜୟ କୁମାର ଅଗ୍ରୱାଲ ଓ ଆଲୁମିନି ସମ୍ପାଦକ ରବିନାରାୟଣ ଦାସ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଦ୍ୟାଳୟର ଏଭଳି ଅଭିନବ ଶିକ୍ଷଣ ପଦ୍ଧତିକୁ ଉପସ୍ଥିତ ଅତିଥି ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଉଚ୍ଚ ପ୍ରଶଂସା କରିଥିଲେ।ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ସହ ପରିଚିତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ସଫଳତା ଥିଲା।କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ