Hajipur Murder: ପାରିବାରିକ ବିବାଦରୁ ପତ୍ନୀଙ୍କୁ ଗୁଳି କରି ହତ୍ୟା ଅଭିଯୋଗ, ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ସ୍ୱାମୀଙ୍କୁ ଖୋଜୁଛି ପୋଲିସ
ବିହାର: ବିହାରର ହାଜିପୁରରେ ଦୀପାବଳି ରାତିରେ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ରାକେଶ ଚୌହାନ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଝିଅଙ୍କ କହିବା ଅନୁସାରେ, ଘଟଣା ପୂର୍ବରୁ ତାଙ୍କ ବାପା ତାଙ୍କୁ ପାଖ ଘରେ ଶୋଇବାକୁ କହିଥିଲେ।
ଏହାପରେ ଝିଅ ଜଣକ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲେ। ଘରକୁ ଆସି ଦେଖିବାବେଳେ ତାଙ୍କ ମାଆଙ୍କ ଦେହରେ ଗୁଳି ବାଜିଥିବା ଜାଣିବାକୁ ପାଇଥିଲେ। ଅଭିଯୋଗ ଅନୁସାରେ, ରାକେଶ ନିଜର ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ଗୁଳି ଚଳାଇଥିଲେ। ଘଟଣା ପରେ ସେ ସେଠାରୁ ଫେରାର ହୋଇଯାଇଥିବା କୁହାଯାଉଛି।
ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ତେବେ ହତ୍ୟା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି।

