Mother Dairy Milk Price Hike: ଦିଲ୍ଲୀ-NCRରେ ମହଙ୍ଗା ହେଲା କ୍ଷୀର, ଲିଟର ପିଛା ୨ରୁ ୪ ଟଙ୍କା ବଢ଼ାଇଲା ମଦର ଡେୟରୀ
ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଉପରେ ପୁଣି ପଡ଼ିଲା ମହଙ୍ଗା ମାଡ଼। ପନିପରିବା ଓ ଖାଇବା ତେଲଏବଂ ବିଭିନ୍ନ ଜିନିଷର ଦର ବୃଦ୍ଧି ପରେ ଏବେ କ୍ଷୀର ଦାମ୍ ବଢ଼ିବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି |ଦିଲ୍ଲୀ-NCR ଅଞ୍ଚଳରେ ମଦର ଡେୟରୀ ବିଭିନ୍ନ ପ୍ରକାରର କ୍ଷୀର ଦର ଲିଟର ପିଛା ୨ରୁ ୬ ଟଙ୍କା ପର୍ଯ୍ୟନ୍ତ ବଢ଼ାଇଛି। କମ୍ପାନୀର କହିବା ଅନୁସାରେ, କ୍ଷୀର ସଂଗ୍ରହ ଓ ଅନ୍ୟାନ୍ୟ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଏବେ କ୍ଷୀର କିଣିବା ପାଇଁ ଗ୍ରାହକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ସୂଚନା ଅନୁସାରେ, ଗତ ୬ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମଦର ଡେୟରୀ ଏହି କ୍ଷୀର ଦର ବୃଦ୍ଧି କରିଛି। ପୂର୍ବରୁ ମଧ୍ୟ କମ୍ପାନୀ ଦାମ୍ ବଢ଼ାଇଥିବା ବେଳେ ପୁଣି ଥରେ ଦର ବୃଦ୍ଧି ଗ୍ରାହକଙ୍କୁ ନିରାଶ କରିଛି। କ୍ଷୀର ପ୍ରତ୍ୟେକ ଘରର ଏକ ଅତ୍ୟାବଶ୍ୟକ ସାମଗ୍ରୀ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଅନେକଙ୍କ ଦୈନନ୍ଦିନ ଖାଦ୍ୟରେ ଏହାର ଗୁରୁତ୍ୱ ରହିଛି। ତେଣୁ ଦର ବଢ଼ିବା ଦ୍ୱାରା ପରିବାରର ଦୈନିକ ଖର୍ଚ୍ଚ ମଧ୍ୟ ବଢ଼ିବ।
ଅନ୍ୟପଟେ, ପନିପରିବା, ଖାଇବା ତେଲ ସମେତ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଲୋକେ ପୂର୍ବରୁ ଚିନ୍ତାରେ ଅଛନ୍ତି। ଏଭଳି ସ୍ଥିତିରେ କ୍ଷୀର ଦର ବଢ଼ିବା ମଧ୍ୟବିତ୍ତ ଓ ସାଧାରଣ ପରିବାରର ମାସିକ ବଜେଟ୍ ଉପରେ ଅତିରିକ୍ତ ବୋଝ ପକାଇବ। ଦୈନନ୍ଦିନ ଆବଶ୍ୟକତାର ଏହି ସାମଗ୍ରୀ ପାଇଁ ଏବେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚର ସାମ୍ନା କରିବାକୁ ପଡ଼ିବ।

