Gidipabali Landslide: ଗିଡ଼ିପାବାଲି ଭୂସ୍ଖଳନରେ ୬ ନିଖୋଜଙ୍କ ପାଇଁ ଶୁଦ୍ଧିକ୍ରିୟା, ୫ ପରିବାରଙ୍କୁ କନ୍ଧମାଳରେ ଥଇଥାନ ଯୋଜନା
ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଲି ଗାଁରେ ଭୂସ୍ଖଳନ ଘଟଣା ପରେ ବିପନ୍ନ ପରିବାରଙ୍କ ଥଇଥାନ ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ୫ଟି ପରିବାରକୁ କନ୍ଧମାଳ ଜିଲ୍ଲାରେ ଏବଂ ଅନ୍ୟ ୨ଟି ପରିବାରକୁ ଗଞ୍ଜାମ ଜିଲ୍ଲାରେ ଥଇଥାନ କରିବାକୁ ଯୋଜନା ହୋଇଛି। ଅନ୍ୟପଟେ, ଭୂସ୍ଖଳନରେ ନିଖୋଜ ହୋଇଥିବା ୬ ଜଣଙ୍କ ପାଇଁ ଗତକାଲି ପରିବାର ଲୋକେ ଶୁଦ୍ଧିକ୍ରିୟା ସମ୍ପନ୍ନ କରିଛନ୍ତି।
ବର୍ତ୍ତମାନ ଦୁଇଟି ପରିବାରର ୯ ଜଣ ସଦସ୍ୟଙ୍କୁ ବଜ୍ରକୋଟ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ରଖାଯାଇଛି। ସେଠାରେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ସେମାନେ ପ୍ରାୟ ଏକ ବର୍ଷ ଏହି ସ୍କୁଲରେ ରହିବା ପରେ ପ୍ରଶାସନ ଘର ନିର୍ମାଣ କରି ଯୋଗାଇଦେବାର ବ୍ୟବସ୍ଥା କରୁ।
ସେପଟେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ରହିଥିବା ଲୋକଙ୍କୁ ଖୋଜିବା ପାଇଁ ସରକାରଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ତେବେ ନିଖୋଜଙ୍କୁ ଜୀବିତ ଉଦ୍ଧାର କରିବା ନେଇ ପରିବାର ଲୋକଙ୍କ ଆଶା କ୍ଷୀଣ ହୋଇପଡ଼ିଛି। ଏହି ଦୁଃଖଦ ପରିସ୍ଥିତିରେ ସେମାନେ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଗଛମୂଳେ ଶୁଦ୍ଧିକ୍ରିୟା ସମ୍ପନ୍ନ କରିଛନ୍ତି।

