Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରେ ୪,୬୨୯ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁରୀଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ ର (UPMP) ଶୁଭାରମ୍ଭ, ସଚେତନତା ରଥ ଉଦ୍‌ଘାଟିତ

ଗଜପତି ଜିଲ୍ଲାରେ ୪,୬୨୯ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁରୀଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ ର (UPMP) ଶୁଭାରମ୍ଭ, ସଚେତନତା ରଥ ଉଦ୍‌ଘାଟିତ
ପାରଳାଖେମୁଣ୍ଡି:୧୧/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ଗଜପତି ଜିଲ୍ଲାରେ ୪,୬୨୯ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁର କରାଯାଇଛି। ଏଥିସହିତ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (Unified Pension Management Portal–UPMP)ର ଶୁଭାରମ୍ଭ ଏବଂ ଏହାର ପ୍ରଚାରପ୍ରସାର ପାଇଁ ଏକ ସଚେତନତା ରଥର ଉଦ୍‌ଘାଟନ କରାଯାଇଛି।ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନଡୋର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଭତ୍ତା ବଣ୍ଟନ ଓ UPMP ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ ଓ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗୀତା ବଡରଇତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୀର୍ଘଦିନ ଧରି ଭତ୍ତା ପାଇଁ ଅପେକ୍ଷା କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାଚୁରେସନ୍ ମୋଡ୍‌ରେ ଭତ୍ତା ମଞ୍ଜୁର କରାଯାଇଛି। ଜିଲ୍ଲାର ୭ଟି ବ୍ଲକ୍ ଓ ୨ଟି ସହରାଞ୍ଚଳର ମୋଟ ୪,୬୨୯ ଜଣଙ୍କୁ ଏହି ସୁବିଧା ମିଳିଛି।ବ୍ଲକ୍ ଓ ସହରାଞ୍ଚଳଭିତ୍ତିକ ହିତାଧିକାରୀଙ୍କ ସଂଖ୍ୟା ହେଲା ଗୋଷାଣୀ ବ୍ଲକ୍‌ରେ ୮୨୨, ଗୁମ୍ମାରେ ୫୩୭, କାଶୀନଗରରେ ୭୫୮, ମୋହନାରେ ୧,୨୦୦, ନୂଆଗଡ଼ରେ ୪୩୬, ରାୟଗଡ଼ରେ ୫୬୮, ରା. ଉଦୟଗିରିରେ ୫୩, ପାରଳାଖେମୁଣ୍ଡି ପୌର ପରିଷଦରେ ୧୬୬ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୮୯ ଜଣ।ନୂତନ ଭାବେ ଶୁଭାରମ୍ଭ ହୋଇଥିବା UPMP ପୋର୍ଟାଲ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିମାନେ ନିଜ ବ୍ଲକ୍ କାର୍ଯ୍ୟାଳୟକୁ ଯାଇ କିମ୍ବା ଘରେ ବସି ଅନଲାଇନ୍‌ରେ ସାମାଜିକ ସୁରକ୍ଷା ଭତ୍ତା ପାଇଁ ଆବେଦନ କରିପାରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ, ଗ୍ରାମାଞ୍ଚଳରେ ସମ୍ପୃକ୍ତ ବିଡିଓ ଏବଂ ସହରାଞ୍ଚଳରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଆବେଦନଗୁଡ଼ିକୁ ଅନୁମୋଦନ କରିବେ। ଏହାସହ ବରିଷ୍ଠ ହିତାଧିକାରୀଙ୍କ ସୁବିଧା ପାଇଁ ୮୦ ବର୍ଷ ବୟସ ପୂରଣ ହେବା ମାତ୍ରେ ନିୟମ ଅନୁଯାୟୀ ସ୍ୱୟଂଚାଳିତ ଭାବେ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବ। ଏଥିପାଇଁ ହିତାଧିକାରୀଙ୍କୁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ।କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତ ଓ ସ୍ୱାମୀ ପରିତ୍ୟକ୍ତା ମହିଳା ହିତାଧିକାରୀଙ୍କ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ବିଭାଗୀୟ କର୍ମଚାରୀ ଯୋଗଦେଇଥିଲେ। ଶେଷରେ ଉପବିଭାଗୀୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏଲ୍. ସନ୍ତୋଷ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ UPMP ପୋର୍ଟାଲ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ଏକ ସଚେତନତା ରଥରକୁ ଶୁଭାରମ୍ଭ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

*ଦ୍ୱିତୀୟ ଦିବସରେ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ* ପାରଳାଖେମୁଣ୍ଡି,ତା.୧୧.୧୧.୨୦୨୬ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ସ୍ଥିତ ସରକାରୀ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଭଲିବଲ୍ ପ୍ରତିଯୋଗିତା (୨୦୨୬-୨୭) ଦ୍ୱିତୀୟ ଦିବସରେ ଉତ୍ସାହ ସହ ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର କ୍ରୀଡ଼ା ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ପ୍ରତିଯୋଗିତାର ସୁପରିଚାଳନା ପାଇଁ ମୋଟ ୫ଟି ଖେଳ ପଡ଼ିଆ ବା କୋର୍ଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କୋର୍ଟରେ ପ୍ରାୟ ୧୨ରୁ ୧୫ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ଖେଳାଳି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ। ଦ୍ୱିତୀୟ ଦିବସର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲ୍‌ଗୁନୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମାୟାଧର ସାହୁ ଯୋଗଦେଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍‌. ଗିରିଧର, ମୋହନା ଓ ଆର୍‌. ଉଦୟଗିରି ବ୍ଲକ୍‌ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବୀରେନ୍ଦ୍ର ମଣ୍ଡଳ, ରାୟଗଡ଼ ତହସିଲଦାର ଶ୍ରୀ ସୁକାନ୍ତ ପ୍ରଧାନ ଏବଂ କନ୍ଧମାଳ ଜିଲ୍ଲାର ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବୃହତ୍ କ୍ରୀଡ଼ା ଆୟୋଜନକୁ ସଫଳ ଓ ସୁସଂଗଠିତ କରିବାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ କ୍ରୀଡ଼ା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସକ୍ରିୟ ସହଯୋଗ ଓ ଉପସ୍ଥିତି ବେଶ୍ ପ୍ରଶଂସନୀୟ ହୋଇଥିଲା।କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ସରକାରୀ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାୟଗଡ଼ର କ୍ରୀଡ଼ା ଶିକ୍ଷକ ଶ୍ରୀ ସନ୍ତୋଷ ପଣ୍ଡା ପରିଚାଳନା କରିଥିଲେ। ଶେଷରେ ଗଜପତି ଜିଲ୍ଲାର ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଉପସ୍ଥିତ ସମସ୍ତ ଅତିଥି, ଆୟୋଜକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।