Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

UNESCO Recognition: ୩୦୭ ବର୍ଷ ପୁରୁଣା ମହାଭାରତର କର୍ଣ୍ଣ ପର୍ବ ପାଣ୍ଡୁଲିପିକୁ ୟୁନେସ୍କୋର ମାନ୍ୟତା, ଏସିଆ-ପ୍ରଶାନ୍ତ ଆଞ୍ଚଳିକ ତାଲିକାରେ କରାଗଲା ସାମିଲ୍

ନୂଆଦିଲ୍ଲୀ: ଭାରତର ୩୦୭ ବର୍ଷ ପୁରୁଣା ମହାଭାରତ ପାଣ୍ଡୁଲିପିକୁ ମିଳିଛି ଅନ୍ତର୍ଜାତୀୟ ମାନ୍ୟତା। ପଶ୍ଚିମବଙ୍ଗର ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ସଂରକ୍ଷିତ ଏହି ତାଳପତ୍ର ପାଣ୍ଡୁଲିପିକୁ ୟୁନେସ୍କୋର ‘ମେମୋରି ଅଫ୍ ଦ ୱାର୍ଲ୍ଡ ଏସିଆ-ପାସିଫିକ୍ ରିଜିଓନାଲ୍ ରେଜିଷ୍ଟର’ରେ ସ୍ଥାନ ମିଳିଛି। ମଙ୍ଗଳବାର ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ରେଜିଷ୍ଟରରେ ଏସିଆ-ପ୍ରଶାନ୍ତ ଅଞ୍ଚଳର ଐତିହାସିକ, ସାଂସ୍କୃତିକ ଓ ବୈଜ୍ଞାନିକ ଗୁରୁତ୍ୱ ଥିବା ଦଲିଲ ଓ ପାଣ୍ଡୁଲିପିକୁ ସ୍ଥାନ ଦିଆଯାଏ।

ଏହି ପାଣ୍ଡୁଲିପିରେ ମୋଟ ୨୨୧ଟି ତାଳପତ୍ର ରହିଛି। ହରିଚରଣ ଶର୍ମା ଏହାକୁ ଲିପିବଦ୍ଧ କରିଥିଲେ। ଏଥିରେ ମହାଭାରତର ୧୮ଟି ପର୍ବ ମଧ୍ୟରୁ ଗୋଟିଏ ‘କର୍ଣ୍ଣ ପର୍ବ’ର ବିବରଣୀ ରହିଛି। ମହର୍ଷି ବ୍ୟାସଙ୍କ ଦ୍ୱାରା ରଚିତ ବୋଲି ପାରମ୍ପରିକ ଭାବେ ବିଶ୍ୱାସ କରାଯାଉଥିବା ଏହି ସଂସ୍କୃତ ମହାକାବ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି କର୍ଣ୍ଣ ପର୍ବ।

ୟୁନେସ୍କୋର ଏହି ଆଞ୍ଚଳିକ ରେଜିଷ୍ଟରରେ ସାମିଲ୍ ହେବା ଫଳରେ ପାଣ୍ଡୁଲିପିଟିର ଐତିହାସିକ ଓ ସାଂସ୍କୃତିକ ଗୁରୁତ୍ୱ ଅନ୍ତର୍ଜାତୀୟ ସ୍ତରରେ ଆହୁରି ପରିଚିତ ହେବ। ଏହା ସହିତ ଭାରତର ପ୍ରାଚୀନ ଲିଖିତ ଐତିହ୍ୟର ସଂରକ୍ଷଣ ଓ ପ୍ରଚାର ପାଇଁ ମଧ୍ୟ ଏହି ସ୍ୱୀକୃତି ଗୁରୁତ୍ୱ ବହନ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ