Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Indonesia Vice President: ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ, ଇଣ୍ଡୋନେସିଆର ଉପରାଷ୍ଟ୍ରପତି ଗିବ୍ରାନ୍ ରାକାଙଙ୍କ ଇସ୍ତଫା

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଉପରାଷ୍ଟ୍ରପତି ଗିବ୍ରାନ୍ ରାକାବୁମିଙ୍ଗ ରାକା ଗୁରୁବାର (ନଭେମ୍ବର ୧୨) ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିଜର ଶିକ୍ଷାଗତ ଯୋଗ୍ୟତା ଏବଂ ଉପରାଷ୍ଟ୍ରପତି ପଦରେ ରହିବା ପାଇଁ ତାଙ୍କର ଯୋଗ୍ୟତାକୁ ନେଇ ବିବାଦ ବଢ଼ିବା ପରେ ସେ ଜାକର୍ତ୍ତାସ୍ଥିତ ସଂସଦ ଭବନରେ ପିପୁଲ୍ସ କନସଲଟେଟିଭ୍ ଆସେମ୍ବଲିର ନେତୃତ୍ୱଙ୍କୁ ଇସ୍ତଫାପତ୍ର ଦାଖଲ କରିଛନ୍ତି। ୩୯ ବର୍ଷୀୟ ଗିବ୍ରାନ୍ ହେଉଛନ୍ତି ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ପୁଅ। ଆସୋସିଏଟେଡ୍ ପ୍ରେସ୍‌ (AP) ରିପୋର୍ଟ ଅନୁସାରେ, ସଂସଦ ଭବନରୁ ବାହାରିବା ସମୟରେ ସେ ଗଣମାଧ୍ୟମକୁ କୌଣସି ମନ୍ତବ୍ୟ ଦେଇନଥିଲେ।

ଗିବ୍ରାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଗତ ମାସରେ ତୀବ୍ର ହୋଇଥିଲା। ଇଣ୍ଡୋନେସିଆର ସାମ୍ବିଧାନିକ ଅଦାଲତ ଏବଂ ସୁପ୍ରିମକୋର୍ଟ ତାଙ୍କ ବିଦେଶରେ ପାଠପଢ଼ା ସମ୍ପର୍କିତ ଦସ୍ତାବିଜ୍‌କୁ ନିର୍ବାଚନୀ ଯୋଗ୍ୟତା ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରୁନଥିବା ଦର୍ଶାଇଥିଲେ। ଇଣ୍ଡୋନେସିଆର ନିୟମ ଅନୁସାରେ, ରାଷ୍ଟ୍ରପତି କିମ୍ବା ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଖରେ ହାଇସ୍କୁଲ୍ କିମ୍ବା ସମକକ୍ଷ ଶିକ୍ଷାଗତ ଯୋଗ୍ୟତା ରହିବା ଆବଶ୍ୟକ। ଗିବ୍ରାନ୍ ବିଦେଶରେ ମାଧ୍ୟମିକ ଶିକ୍ଷା ଗ୍ରହଣ କରିଥିବାରୁ ତାଙ୍କୁ ଏହା ଇଣ୍ଡୋନେସିଆର ହାଇସ୍କୁଲ୍ ଯୋଗ୍ୟତା ସହ ସମକକ୍ଷ ବୋଲି ପ୍ରମାଣ କରୁଥିବା ଦସ୍ତାବିଜ୍ ଦେବାକୁ ପଡ଼ିଥିଲା। ଏହି ବିବାଦ ମଧ୍ୟରେ ନଭେମ୍ବର ୧୧ ତାରିଖରେ ୮ଟି ରାଜନୈତିକ ଦଳର ୧୨୦ ଜଣ ସାଂସଦ ତାଙ୍କ ବିରୋଧରେ ସଂସଦରେ ଆବେଦନ ଦାଖଲ କରିଥିଲେ। ଏହା ତାଙ୍କୁ ପଦରୁ ହଟାଇବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବାର ବାଟ ଖୋଲିଥିଲା।

ଏହା ପୂର୍ବରୁ ମଙ୍ଗଳବାର ଦିନ ଗିବ୍ରାନ୍ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ସହ ବୈଠକ କରି ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଦୀର୍ଘ ରାଜନୈତିକ ବିବାଦ ଏଡ଼ାଇବା ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। ଇଣ୍ଡୋନେସିଆର ସମ୍ବିଧାନ ଅନୁସାରେ, ଉପରାଷ୍ଟ୍ରପତି ପଦ ଖାଲି ହେଲେ ତୁରନ୍ତ ନିର୍ବାଚନ ହୁଏ ନାହିଁ। ରାଷ୍ଟ୍ରପତି ଦୁଇ ଜଣଙ୍କ ନାମ ପ୍ରସ୍ତାବ ଦେବା ପରେ ପିପୁଲ୍ସ କନସଲଟେଟିଭ୍ ଆସେମ୍ବଲି ୬୦ ଦିନ ମଧ୍ୟରେ ନୂଆ ଉପରାଷ୍ଟ୍ରପତି ଚୟନ କରିବ। ୧୯୯୮ରେ ଗଣତାନ୍ତ୍ରିକ ସଂସ୍କାର ଆରମ୍ଭ ହେବା ପରଠାରୁ କାର୍ଯ୍ୟକାଳ ପୂର୍ବରୁ ଇସ୍ତଫା ଦେଇଥିବା ଇଣ୍ଡୋନେସିଆର ପ୍ରଥମ ଉପରାଷ୍ଟ୍ରପତି ହେଉଛନ୍ତି ଗିବ୍ରାନ୍।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories