Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Politics: ଫାଇଲିନ୍‌, ତିତଲି ଓ ଫନୀରେ ୧୮୨ ମୃତ୍ୟୁର ହିସାବ ଦେଲେ ସୁରେଶ ପୂଜାରୀ, ବିପର୍ଯ୍ୟୟ ପରିଚାଳନାକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ

ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାକୁ ନେଇ ରାଜ୍ୟରେ ରାଜନୈତିକ ବୟାନବାଜି ଜୋର ଧରିଛି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବ ସରକାରଙ୍କ ସମୟରେ ହୋଇଥିବା ବାତ୍ୟା ଓ ବନ୍ୟାର କ୍ଷୟକ୍ଷତିର ତଥ୍ୟ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ୨୦୧୩ର ଫାଇଲିନ୍ ବାତ୍ୟା ସମୟରେ ବନ୍ୟା ଓ ବାତ୍ୟା ଯୋଗୁଁ ମୋଟ ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୮ର ତିତଲିରେ ୭୨ ଜଣ ଏବଂ ୨୦୧୯ର ଫନୀରେ ୬୫ ଜଣଙ୍କ ଜୀବନ ଯାଇଥିଲା। ଏହି ତିନୋଟି ବିପର୍ଯ୍ୟୟରେ ମୋଟ ୧୮୨ ଜଣଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ଦେଇ ପୂର୍ବ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ କରିବା ପୂର୍ବରୁ ତଥ୍ୟ ଆଧାରରେ କଥା କହିବାକୁ ମଧ୍ୟ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି।

ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷାର ତଥ୍ୟ ରଖି ମନ୍ତ୍ରୀ କହିଛନ୍ତି ଯେ, ଅକ୍ଟୋବର ୨୮ରେ ୮୩ ମିଲିମିଟର, ୨୯ରେ ୧୯୧ ମିଲିମିଟର ଏବଂ ପରବର୍ତ୍ତୀ ଦିନରେ ୬୩ ମିଲିମିଟର ବର୍ଷା ହୋଇଥିଲା। ଏହି ସମୟରେ ଜିଲ୍ଲାରେ ମୋଟ ୩୩୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପାତ୍ରପୁର ବ୍ଲକ୍‌ରେ ୮୦୮.୪ ମିଲିମିଟର ବର୍ଷା ହୋଇଥିଲା। ଚଳିତ ବର୍ଷର ବିପର୍ଯ୍ୟୟ ମୁକାବିଲା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଥିଲା ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଗୁଆ ଜିଲ୍ଲାଗୁଡ଼ିକରେ ପହଞ୍ଚିଥିଲେ ବୋଲି ସେ କହିଛନ୍ତି। ପ୍ରଭାବିତ ତିନିଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ ଘୋଷଣା ସହ ପରିବାର ପିଛା ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ସହାୟତା ଦିଆଯାଇଥିବା ମଧ୍ୟ ମନ୍ତ୍ରୀ ଦାବି କରିଛନ୍ତି।

ଏହାସହ ଋଷିକୂଲ୍ୟା ନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ନହେବାକୁ ନେଇ ମଧ୍ୟ ପୂର୍ବ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁରେଶ ପୂଜାରୀ। ଭଞ୍ଜନଗର ଓ ଅନ୍ୟ ଅଞ୍ଚଳରେ ନଦୀରେ ୬ଟି ଗେଟ୍ ଥିବା ବେଳେ ସୋରଡ଼ାରେ ଗେଟ୍ ନଥିବା କହି ସେ ୨୪ ବର୍ଷର ଶାସନକାଳରେ ଏହି ସମସ୍ୟାର ସମାଧାନ କାହିଁକି ହୋଇନଥିଲା ବୋଲି ପଚାରିଛନ୍ତି। ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଓ ଭିତ୍ତିଭୂମି ବିକାଶ ପାଇଁ ସରକାର ଦୀର୍ଘମିଆଦୀ ଯୋଜନା କରୁଥିବା ସେ କହିଛନ୍ତି। ନଭେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିଜ ପକ୍ଷ ରଖିବାକୁ ଆହ୍ୱାନ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories