Kulgam Terror Attack: ଆକ୍ରମଣ ପୂର୍ବରୁ CCTVରେ କଏଦ LeT ଆତଙ୍କୀଙ୍କ ରେକି, ଗୁଳିମାଡ଼ରେ ଉମର ନିହତ; Lateef ଫେରାର
ଜମ୍ମୁ-କଶ୍ମୀର: କୁଲଗାମରେ CRPF ଚେକ୍ପୋଷ୍ଟ ଉପରେ ଆକ୍ରମଣ ପୂର୍ବରୁ ଆତଙ୍କବାଦୀଙ୍କ ରେକି ବା ଟାର୍ଗେଟ୍ ଚିହ୍ନଟ କରିବାର ଦୃଶ୍ୟ CCTVରେ କଏଦ ହୋଇଛି। ନଭେମ୍ବର ୧୦ରେ ଲସ୍କର-ଏ-ତୈବା (LeT) କମାଣ୍ଡର ଲତିଫ୍ ଭଟ୍ ଓ ଉମର ନିସାର ଦାର୍ କୁଲଗାମର ମୀର ବଜାର, ଅଖରନ୍, ହାବଲିଶ୍ ଓ କିଲାମ ଅଞ୍ଚଳରେ ବୁଲି ସମ୍ଭାବ୍ୟ ଟାର୍ଗେଟ୍ ଚିହ୍ନଟ କରିଥିବା ସୁରକ୍ଷା ଏଜେନ୍ସି କହିଛି। ବିଭିନ୍ନ ସ୍ଥାନର CCTV ଫୁଟେଜ୍ରେ ଉଭୟଙ୍କ ଗତିବିଧି ସହ ଆକ୍ରମଣ ପରବର୍ତ୍ତୀ ଫେରାର ହେବାର ଦୃଶ୍ୟ ମଧ୍ୟ ମିଳିଛି। ଏହି ଆକ୍ରମଣରେ ତିନିଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ।
ତଦନ୍ତକାରୀ ସଂସ୍ଥାଙ୍କ ଅନୁଯାୟୀ, ଉମର ଗତ ୫ରୁ ୬ ମାସ ଧରି ଲତିଫ୍ଙ୍କୁ ଆଶ୍ରୟ ଓ ସହାୟତା ଯୋଗାଇ ଆସୁଥିଲେ। ଉମର ନିଖୋଜ ହେବା ପରେ ତାଙ୍କ ପରିବାର କୁଲଗାମ ଥାନାରେ ରିପୋର୍ଟ ଦେଇଥିଲେ। ତଦନ୍ତରେ ଆହୁରି ଜଣାପଡ଼ିଛି ଯେ ଆକ୍ରମଣ ପରେ ଉମର ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF)ରେ ଯୋଗ ଦେଇଥିଲେ। ସୋମବାର କୁଲଗାମର ଲାରୁ ଅଞ୍ଚଳରେ ସୁରକ୍ଷାବାହିନୀ ଉଭୟଙ୍କୁ ଘେରିବା ପରେ ଗୁଳିବିନିମୟ ହୋଇଥିଲା। ଏଥିରେ ଉମର ନିହତ ହୋଇଥିବା ବେଳେ ଗୁଳି ଆଘାତ ସତ୍ତ୍ୱେ ଲତିଫ୍ ଖସି ପଳାଇଛନ୍ତି। ଆହତ LeT କମାଣ୍ଡରଙ୍କୁ ଧରିବା ପାଇଁ ସୁରକ୍ଷାବାହିନୀର ତଲାସୀ ଅଭିଯାନ ଜାରି ରହିଛି।

