Puri Land Dispute: ଶ୍ରୀଜଗନ୍ନାଥଙ୍କ ନାମରେ 81 ଏକରରୁ ଅଧିକ ଜମି ରେକର୍ଡ କରିବାକୁ ନିର୍ଦ୍ଦେଶ
AI-generated editorial illustration for this story.
ପୁରୀର ସମଙ୍ଗରା ମୌଜାରେ 81 ଏକରରୁ ଅଧିକ ଜମିର ସ୍ୱତ୍ୱଲିପି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ସଂଶୋଧନ କରିବାକୁ ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ ସାହୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ 100 ବର୍ଷ ଧରି ରାଜସ୍ୱ ରେକର୍ଡରେ ରହିଥିବା ଅସଙ୍ଗତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଦାୟର କରିଥିବା ଦୁଇଟି ମାମଲାରେ ଏହି ରାୟ ଆସିଛି। ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ପୁରୀ–କୋଣାର୍କ ମେରାଇନ୍ ଡ୍ରାଇଭ୍ ନିକଟରେ ଥିବା ଏହି ଜମିର ଆନୁମାନିକ ବଜାର ମୂଲ୍ୟ 1,060 କୋଟି ଟଙ୍କା।
ବିବାଦର ମୂଳରେ ଥିଲା ମହାପ୍ରଭୁଙ୍କ ‘ସତେଇଶ ହଜାରୀ ମାହାଲ’ ଜମି ଓ ‘କଳା ବେଠିଆ ସେବା’। ଶ୍ରୀମନ୍ଦିର ପ୍ରଶାସନର ଯୁକ୍ତି ଥିଲା ଯେ ରଥଯାତ୍ରାରେ ଏହି ସେବା କରିବା ବଦଳରେ କେତେକ ସେବାୟତଙ୍କୁ ଜମି ଭୋଗଦଖଲର ଅଧିକାର ଦିଆଯାଇଥିଲା। 1927 ମସିହାର ସାବିକ ବନ୍ଦୋବସ୍ତରେ ଜମି ସ୍ଥିତିବାନ କିସମରେ ରେକର୍ଡ ହୋଇଥିଲା। ପରେ 1939 ମସିହାର ନିଲାମ ବିକ୍ରି ଓ 1942 ମସିହାର ଅଣପଞ୍ଜୀକୃତ ଲିଜ୍ ଦଲିଲ ଆଧାରରେ ବିଭିନ୍ନ ପକ୍ଷ ମାଲିକାନା ଦାବି କରିଥିଲେ। ପରବର୍ତ୍ତୀ ରାଜସ୍ୱ ରେକର୍ଡରେ ମଧ୍ୟ ସେମାନଙ୍କ ନାମ ରହିଥିଲା।
ତହସିଲଦାରଙ୍କ କ୍ଷେତ୍ର ତଦନ୍ତରେ 48ଟି ପ୍ଲଟ୍ର ସ୍ଥିତି ଯାଞ୍ଚ ହୋଇଥିଲା। ସେଥିରୁ ଅନେକ ଜମି ଆଇନଗତ ଅଧିକାର କିମ୍ବା ଅନୁମତି ବିନା ଦଖଲରେ ଥିବା ତଦନ୍ତ ବିବରଣୀରେ ଦର୍ଶାଯାଇଥିଲା। ଦସ୍ତାବିଜ, ଐତିହାସିକ ପ୍ରମାଣ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଓ ସୁପ୍ରିମକୋର୍ଟଙ୍କ ଏକ ଶୁଣାଣିକୁ ବିଚାରକୁ ନେଇ ପର୍ଷଦ ସ୍ପଷ୍ଟ କରିଛନ୍ତି ଯେ ଦୀର୍ଘଦିନର ଦଖଲ, ନିର୍ମାଣ କିମ୍ବା ରାଜସ୍ୱ ରେକର୍ଡରେ ନାମ ରହିବା ମାଲିକାନାର ପ୍ରମାଣ ନୁହେଁ। ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର ଓ ସରକାରଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ଦାସ ମାମଲା ପରିଚାଳନା କରୁଥିଲେ। ରାୟ ପରେ ‘ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ’ଙ୍କ ନାମରେ ସ୍ୱତ୍ୱଲିପି ସଂଶୋଧନ ଓ ଜମିର ସୁରକ୍ଷା ପାଇଁ ତହସିଲଦାର ପଦକ୍ଷେପ ଆରମ୍ଭ କରିଛନ୍ତି।

