Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିବାର ପ୍ରତିପୋଷଣ ପାଇଁ ବାଲିଗୁଡ଼ାରୁ ମୁମ୍ବାଇ ଗସ୍ତ: ପଙ୍ଗୁ ହୋଇ ଘରକୁ ଫେରିଲେ

ବାଲିଗୁଡା: ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇ ଗସ୍ତ, କିଛି ଦିନ ପରେ ପଙ୍ଗୁ ହୋଇ ଯୁବକ ଫେରିଲେ ଘରକୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡର ଡହଲପଡ଼ି ସାହିର ଅଙ୍ଗଦ ମଳିକ(୨୨) ନାମକ ଜଣେ ଯୁବକ ଭଗାମୁଣ୍ଡା ସାହିର ତାଙ୍କ ସାଙ୍ଗ ରବି ସାହାଣି ସହ କାମଧନ୍ଦା କରିବା ପାଇଁ ଗତ ଏପ୍ରିଲ୍ ମାସ ୨୭ ତାରିଖରେ ଘରେ କାହାକୁ କିଛି ନକହି ବାଲିଗୁଡ଼ାରୁ ମୁମ୍ବାଇ ଅଭିମୁଖେ ବାହାରି ଯାଇଥିଲେ । ଏହାପରେ ଅଙ୍ଗଦ ମଳିକର ଘର ଲୋକେ ଅଙ୍ଗଦକୁ ବହୁ ଖୋଜାଖୋଜି କରି ନ ପାଇବାରୁ ଗତ ମଇ ମାସ ୪ ତାରିଖରେ ବାଲିଗୁଡ଼ା ଥାନାରେ ଅଙ୍ଗଦ ହଜିଯାଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ ଏବଂ ସେଥିରେ ଗତ ଏପ୍ରିଲ୍ ୨୭ ତାରିଖ ସନ୍ଧ୍ୟା ୭ଟା ସମୟରେ ଅଙ୍ଗଦ ମଳିକ ରବି ସାହାଣି ସହିତ କୁଆଡେ଼ ଚାଲିଯାଇଥିବା ମଧ୍ୟ ଉଲ୍ଲେଖ କରିଥିଲେ । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଜୁନ୍ ମାସ ୨୨ ତାରିଖରେ ଗୁଜୁରାଟର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ସ୍ବେଚ୍ଛାସେବୀ ରିତୁବେନ ବର୍ମା ଫୋନ୍ ଯୋଗେ ବାଲିଗୁଡ଼ା ଥାନାକୁ ଖବର ଦେଇଥିଲେ ଯେ, ବାଲିଗୁଡ଼ା ଅଞ୍ଚଳର ଅଙ୍ଗଦ ମଳିକ ନାମକ ଜଣେ ଯୁବକ ଦୁର୍ଘଟଣା ଗ୍ରସ୍ତ ହୋଇ ତାଙ୍କ ନିକଟରେ ଚିକିତ୍ସିତ ହେଉଛନ୍ତି । ଏହାପରେ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ଅଙ୍ଗଦଙ୍କ ପରିବାରକୁ ଏନେଇ ସୂଚନା ଦେଇଥିଲେ । ଏହାପରେ ବାଲିଗୁଡ଼ା ପୋଲିସର ପରାମର୍ଶ ନେଇ ଅଙ୍ଗଦର ଭାଇ ରତ୍ନାକର ମଳିକ ଓ ଭିଣେଇ ରଂଜିତ ମଳିକ ମିଳିଥିବା ଠିକଣା ସ୍ଥାନକୁ ଯାଇଥିଲେ ଓ ନିଜ ଭାଇକୁ ଚିହ୍ନିପାରିଥିଲେ । କିନ୍ତୁ ଭାଇକୁ ଦେଖିବା ବେଳେ ଭାଇର ଦୁଇହାତ କଟି ଯାଇଥିବା ବେଳେ ମୁଣ୍ଡ ଏବଂ ପିଠିରେ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ । ସେଠାରେ ଚିକିତ୍ସିତ କରୁଥିବା ସ୍ବେଛାସେଵୀ ଅନୁଷ୍ଠାନର ପରାମର୍ଶ କ୍ରମେ ଭାଇକୁ ଧରି ବାଲିଗୁଡ଼ା ଆସି ପହଁଚିବା ପରେ ଥାନାକୁ ନେଇଥିଲେ । ଆହାତ ଯୁବକ ଅଙ୍ଗଦକୁ ପଚାରିବାରୁ ସେ କହିଛନ୍ତି ଯେ, ମତେ ଆମ ସାହିର ରବି ସାହାଣି କାମ କରିବାକୁ ପ୍ରଲୋଭନ ଦେଖାଇଥିଲା ଓ ତାପରେ ମତେ ନଗଦ ଆଠ ହଜାର ଟଙ୍କା ଦେଇଥିଲା । ମୁମ୍ବାଇକୁ କାମ କରିବାକୁ ଯିବାକୁ କହି ମତେ ରବି ଟ୍ରେନରେ ନେଇଥିଲେ । ଆମେ ଟ୍ରେନରୁ ଓହ୍ଲାଇଥିଲୁ ତାହା କେଉଁ ଜାଗା ମୁଁ ଜାଣି ନଥିଲି । ମତେ ରବି ଏଇ ପାଖରୁ ଆସୁଛି କହି ଯାଇଥିଲା । କିଛି ସମୟ ପରେ ସେହି ସ୍ଥାନରେ କିଛି ଯୁବକ ଆସି ମତେ ମାଡ଼ ମାରିଥିଲେ l ତାପରେ ମୁଁ ଅଚେତ ହୋଇଯାଇଥିଲି ।

ଚେତା ଫେରିବା ବେଳକୁ ମୁଁ ଏକ ଡାକ୍ତରଖାନାରେ ଥିବା ଜାଣିବାକୁ ପାଇଥିଲି ଏବଂ ମୋର ଦୁଇ ହାତ କଟି ଯାଇଥିବା ଜାଣିବାକୁ ପାଇଥିଲି । ପରବର୍ତ୍ତୀ ସମୟରେ ଏକ ସେବାଶ୍ରମରେ ଚିକିତ୍ସିତ ହେଉଥିଲି । ଏହାପରେ ମୋର ଘର ଓ ଠିକଣା ସମ୍ପୃକ୍ତ ସଂସ୍ଥାକୁ ଜଣାଇବା ପରେ ମତେ ପରିବାର ଲୋକେ ନେବାକୁ ଆସିଥଲେ ବୋଲି କହିଛନ୍ତି ଅଙ୍ଗଦ । ଆହତ ଅଙ୍ଗଦ ଜଣେ ବିବାହିତ ଓ ତାଙ୍କରି ଗୋଟିଏ ଝିଅ ଟିଏ ଥିବା ଜଣାପଡ଼ିଛି । ଘଟଣାକୁ ନେଇ ପରିବାର ପକ୍ଷରୁ ପୁଣି ଏକ ଲିଖିତ ଅଭିଯୋଗ ହେବା ପରେ ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା କେସ୍ ନଂ ୧୬୫/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories