Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଦ୍ୟ ଆଲେଖ୍ୟକୁ ନେଇ ସୌମ୍ୟଙ୍କୁ ଅନୁଭବଙ୍କ ଚ୍ୟାଲେଞ୍ଜ, କହିଲେ- ଯଦି ସତ ପ୍ରମାଣିତ ହେବ ମୁଁ ରାଜନୀତିରୁ ଇସ୍ତଫା ଦେଇ ଦେବି

ଭୁବନେଶ୍ଵର: ଆଜି ପୁଣି ଥରେ ବିଜୁ ଜନତା ଦଳର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଦୈନିକ ସମ୍ବାଦ ପତ୍ରରେ ଆମ ଘରର ହାଲଚଲରେ ନିଜର ଆଲେଖ୍ୟ ଜରିଆରେ ଦଳ ପ୍ରତି ନିଜର ବିଷୋଦଗାର ଜାହିର କରିଛନ୍ତି। ‘ଆତ୍ମ ବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକରେ ସେ ପୁଣି ଥରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ କାର‌୍ୟ୍ୟଶୈଳୀ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସମ୍ବାଦରେ ପ୍ରକାଶିତ ଏହି ଆଲେଖ୍ୟକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତି ତେଜି ଉଠିଛି। ବିଜେଡି ନେତା ଅନୁଭବ ପଟ୍ଟନାୟକ ସୌମ୍ୟଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ସୌମ୍ୟଙ୍କ ହତାଶ ଓ ନିରାଶଭାବକୁ ଦର୍ଶାଉଥିବା ସେ କହିଛନ୍ତି।

ଅନୁଭବ କହିଛନ୍ତି, ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଫାଇଭ-ଟି ସଚିବ କହିଥିବା ଆପଣ ଲେଖିଛନ୍ତି। ମୁଁ ଆପଣଙ୍କୁ ଚ୍ୟାଲେଞ୍ଜ କରୁଛି ସେ ଏକଥାକୁ କେଉଁଠି କହିଥିଲେ, ୧୨ ଘଣ୍ଟା ଭିତରେ ତାର ତଥ୍ୟ ପ୍ରମାଣ ସହ ଦେଖାନ୍ତୁ। ଯଦି ସତ ପ୍ରମାଣିତ ହେବ ମୁଁ ରାଜନୀତିରୁ ଇସ୍ତଫା ଦେଇ ଦେବି। ପ୍ରମାଣ ଦେଇ ନ ପାରିଲେ ଆପଣ ମିଛୁଆ ବୋଲି ଓଡ଼ିଶାବାସୀ ଜାଣିବେ।

ସେ କହିଛନ୍ତି ଫାଇଭ-ଟି ସଚିବ ନିଜ ପରିବାରକୁ ଭେଟିବା ପାଇଁ ଓଡ଼ିଶା ବୁଲୁ ନାହାନ୍ତି। ସେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ଅଭିଯୋଗ ପତ୍ର ନେଉଛନ୍ତି। ମୋ ପାଖେ ଯାହା ତଥ୍ୟ ଅଛି, ଖଣ୍ଡପଡ଼ାରୁ ଅଧିକ ଅଭିଯୋଗପତ୍ର ମିଳିଛି। ଏଥିରୁ ଦର୍ଶାଉଛି ଖଣ୍ଡପଡ଼ାବାସୀ ଆପଣଙ୍କ ଉପରୁ ବିଶ୍ଵାସ ହରାଉଛନ୍ତି। ସେହିପରି ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଠକେଇ ଅଭିଯୋଗ ରହିଛି। ଏଭଳି ବ୍ୟକ୍ତିଙ୍କୁ ସମର୍ଥନ କରିବା ଅତ୍ୟନ୍ତ ଲଜ୍ଜାଜନକ।

ସୂଚନାଯୋଗ୍ୟ, କିଛି ଦିନ ତଳେ ସୌମ୍ୟରଞ୍ଜନ ଦୈନିକ ସମ୍ବାଦପତ୍ର ଆମ ଘରର ହାଲଚାଲରେ ‘ଜନ୍ମଦିନର ଅନୁଚିନ୍ତା’ ଆଲେଖ୍ୟ ରାଜ୍ୟ ରାଜନୀତିରେ ଚହଳ ପକାଇଥିଲା। ଏହି ଲେଖା ମାଧ୍ୟମରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସିଧାସଳଖ ଫାଇଭ-ଟି ସଚିବଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ତାଙ୍କ ଆଲେଖ୍ୟକୁ ନେଇ ରାଜନୀତି ଉଠୁଛି ପଡ଼ୁଛି। ସୌମ୍ୟଙ୍କୁ ଦଳଭେଦି ବିଭୀଷଣ ମଧ୍ୟ କୁହାଯାଉଛି। ତାଙ୍କୁ ବିଜେଡିରେ ମନ୍ତ୍ରୀ ପଦ ମିଳି ନ ଥିବାରୁ ସେ ଔଷଧ ବିକଳରେ ତାଟିଆ କାମୁଡୁଥିବା କୁହାଯାଉଛି। ନିଜର ସ୍ଵାର୍ଥ୍ୟ ପାଇଁ ସେ ଆଗାମୀ ଦିନରେ ବିଜେଡି ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚା ଲାଗି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ