Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗିରଫ ହେବେ ସୌରିନ ଭଟ୍ଟ, ରାଜ୍ୟ ବାହାରକୁ ଯାଇ ଖୋଜିବ ସ୍ଵତନ୍ତ୍ର ଟିମ୍

କଟକ: ଗତକାଲି ହାଇକୋର୍ଟରୁ ଜାମିନ ଆବେଦନ ଖାରଜ ହେବା ପରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ମୁସ୍କିଲ ବଢି ଯାଇଛି। ସେ ଏବେ ଗିରଫ ହୋଇ ପାରନ୍ତି। ମହିଳାଙ୍କୁ ଅସଦାଚରଣ ମାମଲାରେ ଗିରଫ କରିବ ମହିଳା ଥାନା ପୋଲିସ । ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଶୀଘ୍ର ରାଜ୍ୟ ବାହାରକୁ ଯିବ।

ଗତକାଲି ହାଇକୋର୍ଟରୁ ଜାମିନ ଆବେଦନ ଖାରଜ ହେବା ପରେ ସୌରିନ ଭଟ୍ଟଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୌରିନଙ୍କୁ ଗିରଫ ପାଇଁ କମିଶନରେଟ୍ ପୋଲିସ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଗିରଫ ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯିବ। କୋଲକାତା ଓ ମୁମ୍ବାଇ ଯାଇ ସୌରିନଙ୍କୁ ଖୋଜିବ ସ୍ଵତନ୍ତ୍ର ଟିମ୍। ଗତ 25 ତାରିଖରୁ ସୌରିନଙ୍କ ମୋବାଇଲ୍ ସ୍ଵିଚ୍ ଅଫ ଅଛି ବୋଲି ଜୋନ-2 ଏସିପି କହିଛନ୍ତି।

ଗତକାଲି ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ। ଏଥିସହ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ। ଫଳରେ ସୌରିନଙ୍କ ଗିରଫଦାରୀ ସମ୍ଭାବନା ଏବେ ବଢି ଯାଇଛି। ଗିରଫଦାରୀ ଏଡ଼ାଇବା ଲାଗି ସେ ଆଗୁଆ ଜାମିନ ଆବେଦନ କରିଥିଲେ। ଯୁବତୀଙ୍କ ସହ ଠକେଇ ଓ ଯୌନ ନିର୍ଯାତନା ପରି ସଙ୍ଗୀନ ଅଭିଯୋଗ ସୌରିନଙ୍କ ଉପରେ ଲାଗିଛି। ପ୍ରାଥମିକ ତଦନ୍ତରୁ ଯୁବତୀଙ୍କ ସହ ସୌରିନଙ୍କ ଶାରୀରିକ ସମ୍ପର୍କର ପ୍ରମାଣ ମିଳିଛି।

ଏହା ପୂର୍ବରୁ ଅଗଷ୍ଟ ସାତ ତାରିଖରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର କଣ୍ଠଶିଳ୍ପୀ ସୌରିନ କଟକ ମହିଳା ଥାନାରେ ହାଜର ହୋଇଥିଲେ। ଠକେଇ ଓ ଯୌନ ନିର୍ଯାତନା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୌରିନ ଭଟ୍ଟ ଥାନାରେ ହାଜର ହୋଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ, ମୋ ବିରୁଦ୍ଧରେ ଆସିଥିବା ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ। ଏପରିକି ମୁଁ ସେ ଅଭିଯୋଗକାରିଣୀ କିଏ ମୁଁ ଚିହ୍ନିନି। ସମୟ ଆସିଲେ ସବୁ ସତ ଜଣା ପଡ଼ିବ ବୋଲି କଣ୍ଠଶିଳ୍ପୀ ସୌରିନ ଭଟ୍ଟ କହିଥିଲେ।

ସୂଚନାଯୋଗ୍ୟ, ଗିରଫ ଭୟରେ ଜୁନ ୨୬ ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ସେ ନିର୍ଦ୍ଦୋଷ ଏବଂ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟମୂଳକ ବୋଲି ଆବେଦନରେ ଦର୍ଶାଇଥିଲେ। ଓଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା କଟକ ମହିଳା ଥାନାରେ ଏତଲା ଦେଇଥିଲେ। ବିହାରର ପ୍ରଲୋଭନ ଦେଖାଇ ଏବଂ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା, ଦୁଷ୍କର୍ମ କରିବା ଓ ଶୋଷଣ କରିବା କଣ୍ଠଶିଳ୍ପୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହା ପରଠୁ ପୋଲିସ ପକ୍ଷରୁ ସୌରିନଙ୍କ ଗିରଫ ପାଇଁ ଉଦ୍ୟମ ଜାରି ରହିଥିଲା। ସୌରିନ ଭଟ୍ଟ ଯୁବତୀଙ୍କ ଅଭିଯୋଗ ପରଠୁ ଫେରାର ଥିବା କୁହାଯାଉଥିଲା।