Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଜାଲବାଡି ଘାଟିରେ ଅଟକିଲା ଭାରୀଯାନ: ଯାତାୟାତ ବାଧାପ୍ରାପ୍ତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗୋପାଳପୁରରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ଗଜାଲବାଡି ଘାଟିରେ ବିଭିନ୍ନ ସମୟରେ ଭାରୀଯାନଗୁଡିକ ଦୁର୍ଘଟଣା ଗ୍ରସ୍ତ ହେଉଛି। ଏଭଳିସ୍ଥିତିରେ ଭାରୀଯାନଗୁଡିକ ରାସ୍ତାରେ ଅଟକି ରହିବାରୁ ଜନସାଧାରଣଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି। ଶୁକ୍ରବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶରୁ ବ୍ରହ୍ମପୁର ଯାଉଥିବା ଏକ ୧୬ ଚକିଆ ଟ୍ରକ ଘାଟିର ଏକ ବୁଲାଣିରେ ଫସି ରହିଥିଲା। ଯାହା ଫଳରେ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।ଅନ୍ୟପକ୍ଷେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଉକ୍ତ ରାସ୍ତା ଦେଇ ଭାରୀଯାନ ଚଳାଚଳ କରିବାକୁ ମନା କରାଯାଇଛି। ଏପରିକି ସୂଚନା ପ୍ରଦାନ ପାଇଁ ଏକାଧିକ ସ୍ଥାନରେ ସାଇନ ବୋର୍ଡ଼ ଲାଗାଯାଇଛି। ତଥାପି ଭାରୀଯାନ ଗୁଡିକ ଉକ୍ତ ରାସ୍ତାରେ ଅବାଧରେ ଯାତାୟତ କରୁଛି। ଫଳରେ ଉକ୍ତ ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣ ହଇରାଣ ହରକତ ହେଉଛନ୍ତି। ଜାତୀୟ ରାଜପଥର ଏହି ଘାଟି ରାସ୍ତା ପ୍ରାୟ ୧୫ କି.ମି. ହେବ। ଅତି ବିପଦପୂର୍ଣ୍ଣ ଘାଟି ସହ ରାସ୍ତା ମଝିରେ ଘଞ୍ଚ ଜଙ୍ଗଲ ରହିଛି। ସେହିପରି ଘାଟି ରାସ୍ତାରେ ହାତୀ ଚଳାଚଳ କରୁଥିବାରୁ ଯାତ୍ରୀମାନେ କୌଣସି କାରଣରୁ ଅଟକି ରହିଲେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବିଶେଷ କରି ପର୍ଯ୍ୟଟକମାନେ ପରିବାର ଲୋକଙ୍କୁ ଧରି କନ୍ଧମାଳକୁ ଆସୁଥିବା ବେଳେ ଘାଟିକୁ ନେଇ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଏଥିପ୍ରତି ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।