ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତିଙ୍କ ପରଲୋକ । ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଭୋର୍ ୩ଟା ୨୫ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ବ୍ରେନ ଷ୍ଟ୍ରୋକ ହେବା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କର ରିକଭରି ହୋଇପାରିନଥିଲା । ଶେଷରେ ଆଜି(ମଙ୍ଗଳବାର) ଭୋର୍ ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପୂର୍ବତନ ବାଚସ୍ପତିଙ୍କ ବିୟୋଗରେ ପୁରୀରେ ଶୋକର ଛାୟା ଖେଳଯାଇଛି ।
ଅକ୍ଟୋବର ୩୧ ତାରିଖ ସନ୍ଧ୍ୟା ସମୟରେ ମହେଶ୍ବର ମହାନ୍ତି ପୁରୀ ସହରରେ ବିଭିନ୍ନ ଗଜଲକ୍ଷ୍ମୀ ପୂଜା କମିଟି ଭ୍ରମଣ କରୁଥିଲେ । ସେହି ସମୟରେ ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ଷ୍ଟ୍ରୋକ୍ ହୋଇଥିଲା । ପୂର୍ବତନ ବାଚସ୍ପତିଙ୍କ ଅସୁସ୍ଥତା ଖବର ପ୍ରଘଟ ପରେ ଦଳୀୟ କର୍ମୀମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଶ୍ରୀମନ୍ଦିରରେ ଦୀପଦାନ ମଧ୍ୟ କରିଥିଲେ । ମାତ୍ର ଡାକ୍ତରଙ୍କ ସମସ୍ତ ଚେଷ୍ଟା ଓ ସମର୍ଥକଙ୍କ ପ୍ରାର୍ଥନା ସତ୍ତ୍ବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବାଚସ୍ପତିଙ୍କ ଦେହାନ୍ତ ହୋଇଛି ।