‘ବିଜେପି ଯାହା କହୁଛି ଆପଣମାନେ ସେହି ପ୍ରଶ୍ନ ହିଁ ପଚାରୁଛନ୍ତି, ଏମିତି ନାଟକ କାହିଁକି ’


ନୂଆଦିଲ୍ଲୀ: ବିଜେପି ଯାହା କହୁଛି ଆପଣମାନେ ସେହି ପ୍ରଶ୍ନ ହିଁ ପଚାରୁଛନ୍ତି। ଏମିତି କହି ପୁଣି ଥରେ ଗଣମାଧ୍ୟମ ଉପରେ ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ। ବିରୋଧୀଙ୍କୁ ଅଣଦେଖା କରାଯାଉଥିବା ଗଣମାଧ୍ୟମ ଉପରେ ଆରୋପ ଲଗାଇଛନ୍ତି ରାହୁଲ। ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ଅନେକ ଥର ଗଣମାଧ୍ୟମକୁ ଶାଣିତ ସ୍ଵରରେ ହମଲା କରିଛନ୍ତି ଓ୍ଵାଇନାଡର ପୂର୍ବତନ ସାଂସଦ। ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଂପର୍କିତ ଏକ ପ୍ରଶ୍ନ ଉପରେ ଗଣମାଧ୍ୟମକୁ ନିଶାଣ କରିଥିଲେ ରାହୁଲ।

ଗତକାଲି  ଗଣମାଧ୍ୟମର ଜଣେ ପ୍ରତିନିଧି ରାହୁଲଙ୍କୁ ପ୍ରଶ୍ନ କରିଥିଲେ ଯେ, ବିଜେପି କହୁଛି ଆପଣ ନ୍ୟାୟପାଳିକା ଉପରେ ଚାପ ପକାଉଛନ୍ତି। ଏହା ଉପରେ ରାହୁଲ ଜବାବ ଦେଇ କହିଛନ୍ତି, ଆପଣ ସର୍ବଦା ସେହି ପ୍ରଶ୍ନ କରୁଛନ୍ତି ଯାହା ବିଜେପି କହି ଆସୁଛି। ସିଧା କଥା ଯେଉଁ 20 ହଜାର ଟଙ୍କା ଆଦାନୀଙ୍କ ସେଲ୍ କମ୍ପାନିଗୁଡିକରେ ବିନିଯୋଗ ହୋଇଛି, ତାହା କାହାର ଅର୍ଥ ? କଣ ଏହା ବେଆଇନ ଅର୍ଥ ନୁହେଁ ? ଏହି ମୋଟା ଅଙ୍କ କାହାର ?  

ଗାତ ମାସରେ ଲୋକସଭାରୁ ସଦସ୍ୟତା ହରାଇବା ପରେ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ବିଜେପିକୁ କଡା ଶବ୍ଦରେ ସମାଲୋଚନା କରିବା ସହିତ ଗଣମାଧ୍ୟମ ପ୍ରତିନିଧି ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ଜଣେ ସାମ୍ବାଦିକ ପଚାରିଥିଲେ ଯେ, ବିଜେପିର କହିବା କଥା ଆପଣ ଓବିସିକୁ ଅପମାନ କରିଛନ୍ତି। ଏହାର ପ୍ରତିବାଦରେ ବିଜେପି ସମଗ୍ର ଦେଶରେ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛି। ଏହା ଉପରେ ଆପଣଙ୍କ ମତ କଣ ? ରାହୁଲଙ୍କୁ ଉକ୍ତ ସାମ୍ବାଦିକଙ୍କୁ ଟାର୍ଗେଟ୍ କରି କହିଥିଲେ, ଆପଣ ବିଜେପି ପାଇଁ କାହିଁକି କାମ କରୁ ନାହାନ୍ତି ? ଯଦି ଆପଣ ବିଜେପି ପାଇଁ କାମ କରିବାକୁ ଚାହାନ୍ତି ତେବେ ଏହାର ବ୍ୟାଚ୍ ନିଜ ଛାତିରେ ମାରନ୍ତୁ। ତା ପରେ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି। ନିଜକୁ ସାମ୍ବାଦିକ ଦେଖାଇବାର ନାଟକ କରନ୍ତୁ ନାହିଁ।  

ଉଲ୍ଲେଖଯୋଗ୍ୟ, ଆଦାନୀ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ସଡକଠୁ ନେଇ ସଂସଦ ପର୍ଯ୍ୟନ୍ତ ବିଜେପିକୁ ଘେରି ଚାଲିଛନ୍ତି। ତେରଚ୍ଛା ବାଣ ମାରି ଶାସକ ଦଳକୁ ଘାଇଲା କରୁଛନ୍ତି। ସଂସଦରେ ଆଦାନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନରେ ବସିଥିବା ଫଟୋ ଦେଖାଇ ବିଜେପିକୁ ସେ ଶାଣିତ ସ୍ଵରରେ ହମଲା କରିଛନ୍ତି। ରାହୁଲଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଯାଇ ତାଙ୍କର ଲୋକସଭା ସଦସ୍ୟତା ଛଡାଇ ନିଆଯାଇଥିବା ବିରୋଧୀ ଦଳ ବିଜେପି ଉପରେ ଆରୋପ ଲଗାଇଛନ୍ତି। ଲୋକସଭା ସଦସ୍ୟତା ହରାଇବା ପରେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ଛାଡିଛନ୍ତି ରାହୁଲ।