କଳାହାଣ୍ଡି ବିଶ୍ବବିଦ୍ୟାଳୟର ନୂତନ ଲାଇବ୍ରେରୀର ଭିତ୍ତିପ୍ରସ୍ତର ସ୍ଥାପନା କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ


କଳାହାଣ୍ଡି, ୨୦/୧୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଗସ୍ତର ତୃତୀୟ ଦିନରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ଭବାନୀପାଟଣାସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟର ନୂତନ ଲାଇବ୍ରେରୀର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ଏହାର ନିର୍ମାଣ ପାଇଁ ପରିଷଦ ପକ୍ଷରୁ 50 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଏହି ନୂତନ ଲାଇବ୍ରେରୀର କାମ ଆସନ୍ତା ତିନି ମାସ ମଧ୍ୟରେ ସମାପ୍ତ କରାଯିବ ଫଳରେ ଛାତ୍ରଛାତ୍ରୀମାନେ ଇଣ୍ଟରନେଟ୍ ର ସୁବିଧା ସହ ଏହାକୁ ବ୍ୟବହାର କରିପାରିବେ । ପ୍ରଗତିଶୀଳ ଓ ପରିବର୍ତ୍ତନଶୀଳ ଯୁଗରେ ଛାତ୍ରଛାତ୍ରୀମାନେ ଚାକିରୀ ପଛରେ ନ ଯାଇ ନିଜେ ଉଦ୍ୟୋଗୀ ହୋଇପାରିବେ, ଏଥିପାଇଁ ପଶ୍ଚିମ ଓଡିଶା ତଥା ରାଜ୍ୟରେ ଯଥେଷ୍ଟ ସମ୍ବଳ ଓ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବୋରିଙ୍ଗପଦର୍ ନିକଟସ୍ଥ ସମ୍ପୂର୍ଣ୍ଣ କରାଯାଇଥିବା ଗୋଶାଳା ପରିଦର୍ଶନ କରିଛନ୍ତି I ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ 16 ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଦେଇ ଏହି ଗୋଶାଳା କୁ ସମ୍ପୂର୍ଣ୍ଣ କରାଯାଇଛି I ଏହାସହ କେସିଙ୍ଗା ଠାରେ ଜଗନ୍ନାଥ ମନ୍ଦିର ନିକଟସ୍ଥ ସମ୍ପୂର୍ଣ୍ଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ସଭାଘର ର ଶୁଭ ଉଦଘାଟନ କରିଛନ୍ତି ଶ୍ରୀ ତ୍ରିପାଠୀ । ଏହି ଅବସରରେ ରାଜ୍ୟ ସରକାରଙ୍କ ଅନୁମୋଦିତ 1600 ଟି ମୁଖ୍ୟମନ୍ତ୍ରୀ ସଭାଘରର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ ।
ଗସ୍ତ ଅବସରରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡି, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପାୱାର୍ ସଚିନ ପ୍ରକାଶ, ବିଶେଷଜ୍ଞ ସଦସ୍ୟ ଶ୍ରୀ ଅବିନାଶ ଠାକୁର, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।