ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଗୋଇବନ୍ଧା ନାଳ କଡ଼ରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଛି ପୋଲିସ୍ । ମୃତକ ଜଣକ ହେଲେ କଟକ ଚୌପଡ଼ା ଅଞ୍ଚଳର କାଶୀନାଥ ଭୋଇ (୬୦) ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ କାଶୀନାଥ ଗତ ୨୨ ତାରିଖରେ ଚୌପଡ଼ାରୁ ସାଥି ଡ୍ରାଇଭର ଟୁଲିଆ ମହାନ୍ତିଙ୍କ ସହ ପର୍ଯ୍ୟଟକଙ୍କୁ ଉତ୍ତରପ୍ରଦେଶ ଛାଡ଼ିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ବାଲିଗୁଡ଼ା ଗୋଇବନ୍ଧା ବ୍ରିଜ୍ ନିକଟରେ ରୋଷେଇ କରି ଖାଇବା ପରେ କୁଆଡ଼େ ଚାଲିଯାଇଥିଲେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ କାଶୀନାଥ ନଫେରିବାରୁ କିଛି ସମୟ ଖୋଜାଖୋଜି କରିବା ପରେ ଟୁଲିଆ ବାଲିଗୁଡ଼ା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ ନିଖୋଜ କାଶୀନାଥ ଭୋଇଙ୍କୁ ଖୋଜୁଥିବା ବେଳେ ସୋମବାର କିଛି ସ୍ଥାନୀୟ ଲୋକେ ଗୋଇବନ୍ଧା ନାଳ କଡ଼ରେ ଏକ ଶବ ପଡ଼ିଥିବା ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଏଯାବତ୍ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ ।