ନିର୍ବାଚନ ପୂର୍ବରୁ ବିଭିନ୍ନ ମୋର୍ଚ୍ଚାର ସଭାପତି ନିଯୁକ୍ତ କଲା ବିଜେପି, ନେତାଙ୍କୁ ମିଳିିଲା ବଡ ଦାୟିତ୍ୱ

ଭୁବନେଶ୍ୱର: ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି । ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସେ ପ୍ରସ୍ତୁତିରେ ଲାଗି ଗଲେଣି । ତୃଣମୂଳସ୍ତରରେ ସ୍ଥିତି ମଜବୁତ ପାଇଁ ଦଳ ସାଂଗଠନିକ ରୂପ ରେଖ ଉପରେ କାମ ଚଳାଇଛନ୍ତି । ଏହିକ୍ରମରେ ରାଜ୍ୟ ବିଜେପି ବିଭିନ୍ନ ମୋର୍ଚ୍ଚା ପାଇଁ ସଭାପତି ନିଯୁକ୍ତ କରିଛି । ବିରଂଚି ତ୍ରିପାଠୀଙ୍କୁ ଯୁବ ମୋର୍ଚ୍ଚାର ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ମହିଳା ମୋର୍ଚ୍ଚାର ପ୍ରଭାରୀ କରାଯାଇଛି ।
ସେହିପରି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଓବିସି, ଗୋଲକ ମହାପାତ୍ରଙ୍କୁ କୃଷକ ମୋର୍ଚ୍ଚାର ପ୍ରଭାରୀ ନିଯୁକ୍ତ କରାଯାଇଛି । ରମେଶ ସାହୁଙ୍କୁ ଏସସି ମୋର୍ଚ୍ଚା ଓ ସୁକେଶୀ ଓରାମଙ୍କୁ ଏସଟି ମୋର୍ଚ୍ଚା ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସବୁ ମୋର୍ଚ୍ଚା କେମିତି ନିଜ ଲୋକଙ୍କ ସହ ସଂପର୍କ ଦୃଢ କରି ପାରିବ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇ ପାରିବ ସେ ଦିଗରେ ପ୍ରଭାରୀମାନେ କାମ କରିବେ ।
ସୂଚନାଯୋଗ୍ୟ, ବିଜେଡି ଓ କଂଗ୍ରେସ ମଧ୍ୟ ନିଜସ୍ତରରେ ପ୍ରଭାରୀ ଓ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ନିର୍ବାଚନ ଯେତିକି ନିକଟତର ହେବା ସହ ଦଳଗୁଡିକ ସକ୍ରିୟ ହୋଇ ଉଠିଲେଣି । ଶାସକ ବିଜେଡି ନିଜର କ୍ଷମତା ବଜାୟ ରଖିବାକୁ ଅଂଟା ଭିଡିଥିବା ବେଳେ ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା ଚଳାଇଛନ୍ତି । କାରଣ ରାଜ୍ୟରେ ବିଜେପି ଦ୍ୱିତୀୟ ସ୍ଥାନରେ ଥିଲେ ହେଁ ଯେତିକି ଦୃଢ ହେବା କଥା ହୋଇ ପାରିନି । ଅନ୍ୟପଟେ କଂଗ୍ରେସ ନିଜର ସ୍ଥିତି ଜାହିର କରିବାକୁ ଉଦ୍ୟମ ଚଳାଇଛି ।