Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, ଜାନୁଆରୀ ୨୩ ତାରିଖରୁ ବିଜେଡିର ସମ୍ପର୍କ ଅଭିଯାନ

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି। ବଜେଟ୍ ଅଧିବେଶନ ପରେ କୌଣସି ବି ସମୟରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ତେଣୁ ନିର୍ବାଚନକୁ ନେଇ ଦେଶ ସହ ରାଜ୍ୟରେ ମାହୋଲ ସରଗରମ ହେବାରେ ଲାଗିଛି। ଓଡିଶାର ଶାସକ ବିଜୁ ଜନତା ଦଳ ନିର୍ବାଚନୀ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଲାଣି। ଏହି କ୍ରମରେ ଜାନୁଆରୀ ୨୩ ତାରିଖରୁ ପରିବାର ସମ୍ପର୍କ ଅଭିଯାନ ଦଳ ଆରମ୍ଭ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ।

ବିଧାୟକ ଦେବୀ ମିଶ୍ର କହିଛନ୍ତି ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡି ସମଗ୍ର ରାଜ୍ୟରେ ପରିବାର ସମ୍ପର୍କ ଅଭିଯାନ ଚଳାଇବ। ଏହି ସମୟରେ ଦଳ ଘରେ ଘରେ ପହଞ୍ଚିବାକୁ ଚେଷ୍ଟା କରିବ। ଦଳ ଲିଫ୍‌ଲେଟ୍ ମାଧ୍ୟମରେ କ୍ୟାମ୍ପେନ, ନବୀନ ସରକାରଙ୍କ ସଫଳତା ଘରେ ଘରେ ପହଞ୍ଚାଇବାକୁ କାର୍ଯ୍ୟକ୍ରମ ରହିଛି। ସ୍ଥାନୀୟ ନେତାକୁ ଏ ନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଜିଲ୍ଲା ପର୍ଯ୍ୟବେକ୍ଷକ ଏହାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଆମେ ପ୍ରତି ପରିବାର ସହ ସମ୍ପର୍କ ନିବିଡ଼ ରଖିଛୁ । ଏହାକୁ ଆହୁରି ନିବିଡ଼ କରିବାକୁ ପରିବାର ସମ୍ପର୍କ ଅଭିଯାନ ହେବ । ସମାଜର ସବୁ ବର୍ଗରୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହେବ। ସରକାରଙ୍କ ଯୋଜନାକୁ ଠିକ୍ ଭାବେ ପହଞ୍ଚାଇବାକୁ ଓ ଆଉ କ’ଣ କରିହେବ ସେ ନେଇ ମତ ନିଆଯିବ ବୋଲି ବିଧାୟକ କହିଛନ୍ତି। ପ୍ରତିବର୍ଷ ପରି ଗତ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପଦଯାତ୍ରା ହୋଇଥିଲା।

ଅନ୍ୟପଟେ କଂଗ୍ରେସ ସାରା ରାଜ୍ୟରେ ବସ୍ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏଥିରେ ଦଳର ନେତା ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କ ସହ ସଂପର୍କ ସ୍ଥାପନ କରିବେ। ଜାନୁଆରୀ ୨୯ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡ଼ିଶା ଆସୁଛନ୍ତି। ଏହି ଗସ୍ତରେ ସେ ଦଳୀୟ ନେତା ଓ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ। ଏ ନେଇ କଂଗ୍ରେସ ଶିବିର ମଧ୍ୟ ସକ୍ରିୟ ହୋଇ ଉଠିଛି। ବିଜେପି ମଧ୍ୟ ଘର ଘର ବୁଲି ଲୋକଙ୍କ ନିକଟତର ହେବାକୁ ଯୋଜନା କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ