କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଯାଚିକା ଖାରଜ, କୋର୍ଟ କହିଲେ- ଆମକୁ ରାଜନୀତି କରିବାର ନାହିଁ


ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଦାବିକୁ ନେଇ ଦାଖଲ ଜନସ୍ୱାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି । କୋର୍ଟ କହିଛନ୍ତି ଏହା ରାଜନୈତିକ ମାମଲା ଏବଂ ଏହି ମାମଲାରେ ନ୍ୟାୟିକ ଦଖଲର ଆବଶ୍ୟକତା ନାହିଁ । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଓ ଜଷ୍ଟିସ ମନମୀତ ପ୍ରୀତମ ସିଂ ଆରୋରାଙ୍କ ପୀଠ ମାମଲାର ଶୁଣାଣି କରି ଯାଚିକା ଖାରଜ କରିଛନ୍ତି ।

ସାମାଜିକ କର୍ମୀ ସୁରଜିତ ସିଂ ଯାଦବଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ କୋର୍ଟ କହିଛନ୍ତି, କଣ ନ୍ୟାୟପାଳିକା ଦଖଲର ଆବଶ୍ୟକତା ରହିଛି? ଆଜି ଖବର କାଗଜରେ ପଢିଲୁ ଉପ ରାଜ୍ୟପାଳ ଏହା ଉପରେ ପରୀକ୍ଷଣ କରୁଛନ୍ତି । ପୁଣୀ ରାଷ୍ଟ୍ରପତି ଯଦି ସାମ୍ନାକୁ ଆସନ୍ତି । ତେଣୁ ଏହା ରାଜନୈତିକ ମାମଲା । ଆମେ ବୁଝି ପାରୁଛୁ କିଛି ରାଜନୈତିକ ସମସ୍ୟା ଉପୁଜିପାରେ । ଆମକୁ କାହିଁକି ଆଦେଶ କରିବାର ଅଛି ? ଆମକୁ ଉପ ରାଜ୍ୟପାଳ କି ରାଷ୍ଟ୍ରପତିଙ୍କୁ ଶିଖାଇବାର କିଛି ଆବଶ୍ୟକତା ନାହିଁ । ଆମେ ତାଙ୍କୁ ଗାଇଡ୍ କରୁ ନାହିଁ । ଆମେ ଏଥିରେ ହସ୍ତକ୍ଷେପ କରି ପାରିବୁ ନାହିଁ । ଆମକୁ ବିଶ୍ୱାସ ଯେ, କାର୍ଯ୍ୟପାଳିକା ଏହାକୁ ଦେଖୁଛନ୍ତି ।

କୋର୍ଟ ଏହା ମଧ୍ୟ କହିଛନ୍ତି, ଯଦି ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବ ତେବେ ରାଷ୍ଟ୍ରପତି କିମ୍ବା ଏଲଜି ଏହା ଉପରେ କାମ କରିବେ । ଏଥିରେ ସମୟ ଲାଗିପାରେ କିନ୍ତୁ ବିଶ୍ୱାସ ଯେ, ଏହା ଉପରେ ନିଷ୍ପତି ନେବେ । ଆଜି ଯେଉଁ ପରିସ୍ଥିତି ଉପୁଜିଛି ଏହାର କଳ୍ପନା କରାଯାଇ ନ ଥିଲା । ଆଜି କୌଣସି ଆଇନ ବାଧ୍ୟତା ନାହିଁ । ଅଦାଲତ ରାଜନୀତିରେ ପଶିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।