ବାଲେଶ୍ୱରୁ ବିଜେଡିର ସାଂସଦ ପ୍ରାର୍ଥୀ କିଏ ? ଛିଣ୍ଡୁନି ଅଙ୍କ, ଚର୍ଚ୍ଚାରେ ରବୀନ୍ଦ୍ର ଜେନାଙ୍କ ନାଁ


ବାଲେଶ୍ଵର: ବାଲେଶ୍ବରରୁ ବିଜେଡିର ସାଂସଦ ପ୍ରାର୍ଥୀ କିଏ ? ତାକୁ ନେଇ ବିଜେଡି ମଧ୍ୟରେ ଅଙ୍କକଷା ଛିଣ୍ଡୁନି । ୨୦ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ଦଳ । କେବଳ ବାଲେଶ୍ବର ଲୋକସଭା ପାଇଁ ବାକି ରହିଛି ପ୍ରାର୍ଥୀ ଘୋଷଣା । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଏଥର ରିପିଟ୍ କରିଥିବା ବେଳେ ତାଙ୍କୁ ଟକ୍କର ଦେବାକୁ କିଏ ହେବେ ବିଜେଡି ର ପ୍ରାର୍ଥୀ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । .
ବାଲେଶ୍ବରକୁ ନେଇ ଅଟକିଛି ବିଜେଡି ଅଙ୍କ । ଏହି ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ଏଯାଏଁ ସ୍ପଷ୍ଟ ହୋଇନି । ବାଲେଶ୍ବର ଲୋକସଭା ପାଇଁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦଳ ଏଥର ମଧ୍ୟ ପ୍ରାର୍ଥୀ କରିଛି । ତେଣୁ ପ୍ରତାପ ଷଡ଼ଙ୍ଗୀଙ୍କୁ ଟକ୍କର ଦେବାକୁ ଜଣେ ଟାଣୁଆ ନେତାଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ବିଜେଡିର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିର୍ବାଚନ ଲଢ଼ିବାକୁ ପୂର୍ବରୁ ମନା କରିଥିଲେ । ବାଲେଶ୍ବର ଲୋକସଭାରେ ଦଳର ବିଜୟ ପାଇଁ ଦଳର ତୁଙ୍ଗ ନେତା ରବୀନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଛନ୍ତି ବୋଲି କୁହାଯାଉଛି । ତାଙ୍କୁ ରାଜି କରାଇ ପୁନଶ୍ଚ ସାଂସଦ ପ୍ରାର୍ଥୀ କରିବାକୁ ମଧ୍ୟ ଉଦ୍ୟମ ଜାରି ରହିଛି ।
୨୦୧୪ରେ ବିଜେଡି ଟିକେଟରେ ବାଲେଶ୍ବର ଲୋକସଭା ନିର୍ବାଚନ ଜିତି ସାଂସଦ ହୋଇଥିଲେ ରବୀନ୍ଦ୍ର ଜେନା । ତେବେ ୨୦୧୯ରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ଖୁବ୍ କମ୍ ଭୋଟରେ ପରାସ୍ତ ହୋଇଥିଲେ । ସେତେବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ୪ଲକ୍ଷ ୮୩ହଜାର ୮୫୮ଭୋଟ୍ ମିଳିଥିବା ବେଳେ ରବୀନ୍ଦ୍ରଙ୍କୁ ମଳିଥିଲା ୪ଲକ୍ଷ ୭୦ହଜାର ୯୦୨ଖଣ୍ଡ ଭୋଟ୍ । ଅଳ୍ପ ଭୋଟ୍ ବ୍ୟବଧାନରେ ରବୀନ୍ଦ୍ର ଜେନା ହାରିଥିବାରୁ ଏଥର ମଧ୍ୟ ରବୀନ୍ଦ୍ରଙ୍କୁ ବାଲେଶ୍ବରରୁ ସାଂସଦ ପ୍ରାର୍ଥୀ କରିବାକୁ ବିଜେଡି ଯୋଜନା କରୁଥିବା କୁହାଯାଉଛି । ସେପଟେ ରବୀନ୍ଦ୍ର ଜେନାଙ୍କ ପତ୍ନୀ ବସ୍ତା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ସେଥିପାଇଁ ବୋଧ ହୁଏ ରବୀନ୍ଦ୍ରଙ୍କୁ ପ୍ରାର୍ଥୀତ୍ବକୁ ନେଇ ବିଚାର ବିମର୍ଶ ଚାଲିଥିବା ଚର୍ଚ୍ଚା ହେଉଛି । ଏହାଛଡ଼ା କଂଗ୍ରେସର ଜଣେ ବଡ଼ ନେତାଙ୍କ ପୁଅ ବିଜେଡିରେ ଯୋଗଦେଇ ବାଲେଶ୍ବରରୁ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସେପଟେ ଯେପର‌୍ୟ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନାହିଁ ସେପର‌୍ୟ୍ୟନ୍ତ ଆଶାୟୀଙ୍କ ଆଶା ମଧ୍ୟ ବଢ଼ି ବଢ଼ି ଚାଲିଛି ।
ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, କୁଆଡେ ବିଜେଡି କିଛି ଦିନ ତଳେ ଦଳରେ ମିଶିଥିବା ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିପାରେ । ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ମଧ୍ୟ ନିଜ ପ୍ରତିକ୍ରିୟାରେ କହି ସାରିଛନ୍ତି ଲେଖାଶ୍ରୀ ବିଜେଡିର ପ୍ରାର୍ଥୀ ହେଲେ କିଛି ଅସୁବିଧା ନାହିଁ । ଲେଖାଶ୍ରୀଙ୍କୁ ଏଠାରେ କିଏ ଜାଣିବ । ସେପଟେ ଟିକେଟ୍ ନ ମିଳିବାରୁ ବିଜେପି ନେତା ଐରଖାରବେଳ ସ୍ୱାଇଁ ବାଲେଶ୍ୱରରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ସେ ବିଜେପିରେ ରହିବେ ଏବଂ ବିଜେଡି କି କଂଗ୍ରେସରେ ଯୋଗ ଦେବେ ନାହିଁ । ଅନ୍ୟପଟେ ରବୀନ୍ଦ୍ର ଜେନାଙ୍କୁ ମନାଇବା ସହ ଅନ୍ୟ କଉ ନେତାଙ୍କୁ ପ୍ରାର୍ଥୀ କରାଗଲେ ସିଟ୍ ଜିତି ହେବ ତାକୁ ନେଇ ଦଳରେ ବିଚାର ବିମର୍ଶ ଚାଲିଛି । ଏହିପରି ବାଲେଶ୍ୱର ଲୋକସଭା ସିଟ୍ ବିଜେଡି ପାଇଁ ବର୍ତମାନ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।