ଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲାରେ ଶୁଣାଣି କରି ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଜଷ୍ଟିସ ଦୀପାଙ୍କର ଦତ୍ତାଙ୍କ ପୀଠ କହିଛନ୍ତି, କେଜରିୱାଲଙ୍କୁ ଜୁନ ୨ ତାରିଖରେ କୋର୍ଟରେ ଆତ୍ମ ସମର୍ପଣ କରିବାକୁ ପଡିବ । ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଜୁନ ୧ ତାରିଖ ସୁଦ୍ଧା ଅନ୍ତରୀଣ ଜାମିନ ମିଳିଥିଲା ।
ଇଡି କେଜରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିଲା । କେଜରିୱାଲ ଗୋଟିଏ ମାସ ହେବ ଇଡି ହେପାଜତରେ ଥିଲେ । ଏହି ସମୟରେ କେଜରିୱାଲଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କହିବା କଥା ତାଙ୍କ ଗିରଫଦାରୀ ବେଆଇନ ଅଟେ । ସଂପ୍ରତି ସୁପ୍ରିମକୋର୍ଟ କେଜରିୱାଲଙ୍କୁ ନିର୍ବାଚନ ପ୍ରଚାର ପାଇଁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି । ତାଙ୍କୁ ଏବେ ଜୁନ ୨ ତାରିଖରେ ଆତ୍ମ ସମର୍ପଣ କରିବାକୁ ପଡିବ ।
ଏହା ବ୍ୟତୀତ ସୁପ୍ରିମକୋର୍ଟ ଗୁରୁବାର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯଦି କାହା ଉପରେ ମନି ଲଣ୍ଡ୍ରିଂ କେସର ଅଭିଯୋଗ ରହିଛି ଏବଂ ଉକ୍ତ ବ୍ୟକ୍ତି କୋର୍ଟରେ ହାଜର ହୁଅନ୍ତି ତେବେ କେସ ଚାଲିଥିବା ସମୟରେ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ । ଏହିପରି ସୁପ୍ରିମକୋର୍ଟ ମନି ଲଣ୍ଡ୍ରିଂ କେସରେ ଗିରଫଦାରୀକୁ ନେଇ ଏକ ନିୟମାବଳୀ ପ୍ରସ୍ତୁତ କରି ଦେଇଛନ୍ତି ।