ନିର୍ବାଚନ ଫଳାଫଳ ପୂର୍ବରୁ ଆକ୍ସନ ମୋଡରେ ମୋଦୀ, ଆଜି କରିବେ ବ୍ୟାକ୍ ଟୁ ବ୍ୟାକ୍ ୭ ବୈଠକ


ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସାଧନା ସାରି କନ୍ୟାକୁମାରୀରୁ ଦିଲ୍ଲୀ ଫେରି ଆସିଛନ୍ତି । ରାଜଧାନୀରେ ପହଞ୍ଚିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଆକ୍ସନ ମୋଡରେ ନଜର ଆସିଛନ୍ତି । ରବିବାର ପିଏମ ମୋଦୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ୭ଟି ବୈଠକ କରିବାକୁ ଯାଉଛନ୍ତି । ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ବାତ୍ୟା ରେମାଲର କ୍ଷୟକ୍ଷତିର ସମୀକ୍ଷା କରିବେ । ଏହା ବ୍ୟତୀତ ବନ୍ୟା ପ୍ରଭାବିତର ସ୍ଥିତି ଏବଂ ରିଲିଫ କାର୍ଯ୍ୟର ସମୀକ୍ଷା କରିବେ । ଏହା ପରେ ସମଗ୍ର ଦେଶରେ ଭୀଷଣ ଗରମର ପ୍ରକୋପ ସ୍ଥିତି ବିଷୟରେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ପିଏମ ମୋଦୀ ବିଶ୍ୱ ପରିବେଶ ଦିବସରେ ହେଉଥିବା ସଚେତନତା ଅଭିଯାନ ଏବଂ ଏହାର ପାଳନକୁ ନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ । ଜୁନ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ । ପୁଣି ଜୁନ ୪ ତାରିଖରେ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ସେପଟେ ଭୀଷଣ ଗରମ କାରଣରୁ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି । ମତଦାନ ସମୟରେ ଅନେକ ପୋଲିଂ କର୍ମଚାରୀଙ୍କ ହିଟ ଷ୍ଟ୍ରୋକରେ ପ୍ରାଣହାନୀ ଘଟୀଛି । ପିଏମ ମୋଦୀ ଏହି ସବୁ ପ୍ରସଙ୍ଗରେ ଅଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ଆଗାମୀ ଯୋଜନା ପ୍ରସ୍ତୁତ କରିବେ ।

ପିଏମ ମୋଦୀ ସମ୍ଭାବିତ ମୋଦୀ ସରକାର ୩.୦ର ପ୍ରଥମ ୧୦୦ ଦିନର କାମକୁ ନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏଥିରେ ପିଏମଓର ବରିଷ୍ଠ ଅଧିକାରୀ ସାମିଲ ହେବେ । ନିର୍ବାବନ ପ୍ରଚାର ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ପିଏମଓର ଅଧିକାରୀଙ୍କୁ ୧୦୦ ଦିନର କାମ ଉପରେ ଯୋଜନା ପ୍ରସ୍ତୁ କରିବାକୁ କହିଥିଲେ ।