ମୋହନଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ଜିତିଥିବା ୮ ବିଧାୟକ, ୧୨ ଜିଲ୍ଲାକୁ ପ୍ରତିନିଧିତ୍ବ


ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର । ଜନତା ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ବିଜେପି ବିଧାୟକ ଦଳ ନେତା ମୋହନ ଚରଣ ମାଝୀ ଆଜି ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତାଙ୍କ ସହ ୨ ଜଣ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି । ଏହାସହ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶପଥ ନେଇଛନ୍ତି । ତେବେ ମନ୍ତ୍ରିମଣ୍ଡଳରେ ମୋଟ ୧୨ଟି ଜିଲ୍ଲାକୁ ପ୍ରତିନିଧିତ୍ୱ ମିଳିଥିବାବେଳେ ପ୍ରଥମ ଥର ଜିତିଥିବା ୭ ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି । ଏକମାତ୍ର ମହିଳା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କୁ ମିଶାଇଲେ ପ୍ରଥମ ଥର ଜିତି ମନ୍ତ୍ରୀ ହୋଇଥିବା ବିଧାୟକଙ୍କ ସଂଖ୍ୟା ୮ ରହିଛି ।

ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୪ଜଣ ଅନୁସୂଚିତ ଜନଜାତିର ଏବଂ ୨ ଜଣ ଅନୁସୂଚିତ ଜାତି ବର୍ଗର ରହିଛନ୍ତି । ଏବେ ବି ମନ୍ତ୍ରିମଣ୍ଡଳରେ ଆଉ ୬ଟି ମନ୍ତ୍ରୀ ପଦ ଖାଲି ରହିଛି । ମୋହନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ସମସ୍ତ ମନ୍ତ୍ରୀଙ୍କ ହାରାହାରି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ । ଆଉ ସବୁଠୁ କମ୍ ବୟସର ମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୂରଜ ଓ ବୟୋଜ୍ୟେଷ୍ଠ ମନ୍ତ୍ରୀ ଭାବେ କେଭି ସିଂହଦେଓ ରହିଛନ୍ତି ।

ସୂଚନା ଅନୁସାରେ, ମୋହନ ମାଝୀଙ୍କ ସରକାରରେ ପ୍ରଥମ ଥର ପାଇଁ ବିଧାନସଭାକୁ ଜିତି ଉପମୁଖ୍ୟ ଭାବେ ପ୍ରଭାତୀ ପରିଡ଼ା ଏବଂ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ବିଭୂତିଭୂଷଣ ଜେନା ଓ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ନେଇଛନ୍ତି । ମୋଟ୍ ୮ ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରୁ କେବଳ ୪ ଜଣ ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର ଓ ମୁକେଶ ମହାଲିଙ୍ଗଙ୍କର ପୂର୍ବରୁ ବିଧାନସଭାରେ ଅଭିଜ୍ଞତା ରହିଛି ।

ସେହିପରି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଇଥିବା ୫ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୩ ଜଣ ସମ୍ପୂର୍ଣ୍ଣ ନବାଗତ । ପ୍ରଦୀପବଳ ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସମ୍ପଦ ଚରଣ ସ୍ୱାଇଁ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଗଣେଶରାମ ସିଂ ଖୁଣ୍ଟିଆ ଓ ସୂର୍ଯ୍ୟବଂଶୀ ସୂରଜଙ୍କ ପୂର୍ବରୁ ବିଧାନସଭାରେ ଅଭିଜ୍ଞତା ରହିଛି ।

ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଥିବା ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଓ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ।

ସେହିପରି କ୍ୟାବିନେଟ୍ ମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡ଼ା, ରବିନାରାୟଣ ନାଏକ ସମ୍ବଲପୁର, ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର, କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳ, ପୃଥ୍ୱୀରାଜ ହରିଚନ୍ଦନ ଖୋର୍ଦ୍ଧା, ଡଃ ମୁକେଶ ମହାଲିଙ୍ଗ ବଲାଙ୍ଗୀର, ବିଭୂତିଭୂଷଣ ଜେନା ଗଞ୍ଜାମ ଓ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ମୟୂରଭଞ୍ଜ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ।

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଗଣେଶରାମ ସିଂ ଖୁଂଟିଆ ମୟୂରଭଞ୍ଜ, ସୂର୍ଯ୍ୟବଂଶୀ ସୂରଜ ଭଦ୍ରକ, ପ୍ରଦୀପବଳ ସାମନ୍ତ ଯାଜପୁର, ଗୋକୁଳାନନ୍ଦ ମଲ୍ଲିକ ଗଞ୍ଜାମ ଓ ସମ୍ପଦ ଚନ୍ଦ୍ର ସ୍ୱାଇଁ ଜଗତସିଂହପୁର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ।

ମୋହନଙ୍କ ମନ୍ତ୍ରିମଣ୍ଡଳରେ ଗଞ୍ଜାମ, ମୟୂରଭଞ୍ଜ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ପ୍ରତିନିଧିତ୍ୱ କରୁଥିବାବେଳେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀ ପଦ, ପୁରୀକୁ ଉପମୁଖ୍ୟମନ୍ତ୍ରୀ ଏବଂ ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ନବରଙ୍ଗପୁର, ସମ୍ବଲପୁର ଓ ଝାରସୁଗୁଡ଼ାକୁ ଜଣେ ଲେଖାଏଁ ମନ୍ତ୍ରିପଦ ମିଳିଛି ।

ମନ୍ତ୍ରିମଣ୍ଡଳରେ ଆଦିବାସୀ ଚେହେରା ଭାବେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, ଓ ଗଣେଶରାମ ସିଂ ଖୁଂଟିଆ ଥିବାବେଳେ ଅନୁସୂଚିତ ଜାତି ଚେହେରା ଭାବେ ମୁକେଶ ମହାଲିଙ୍ଗ ଓ ସୂର୍ଯ୍ୟବଂଶୀ ସୂରଜ ରହିଛନ୍ତି ।

ଆଜିର ଶପଥ ସମାରୋହ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ନୀତିନ ଗଡ଼କରୀ, ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟର ସମସ୍ତ ଦଳୀୟ ସାଂସଦ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ହଜାର ହଜାର ଜନତା ଉପସ୍ଥିତି ଥିଲେ ।