ନୂଆଦିଲ୍ଲୀ: ନିଟ୍ ବିବାଦ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି । ନିଟ୍ କାଉନସେଲିଂ ଉପରେ ଲାଗିବନି ରୋକ୍ । ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ ହୋଇଛି । ଗ୍ରେସ ମାର୍କକୁ ମଧ୍ୟ ରଦ୍ଦ କରାଯାଇଛି । ଗ୍ରେସ ମାର୍କ ପାଇଥିବା ପରୀକ୍ଷାର୍ଥୀ ପୁଣି ଥରେ ପରୀକ୍ଷା ଦେବେ । ଏହାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଛାତ୍ର-ଛାତ୍ରୀମାନଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ ।
ସୁପ୍ରିମକୋର୍ଟ ଯାଚିକା ଉପରେ ଶୁଣାଣି କରି କହିଛନ୍ତି, କାଉନସେଲିଂ ଜାରି ରହିବ ଏବଂ ଏହା ଉପରେ ଆମେ ରୋକ୍ ଲଗାଇ ପାରିବୁ ନାହିଁ । ଏଥିରେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ସଂପୂର୍ଣ୍ଣ ଭାବେ ପରୀକ୍ଷାକୁ ରଦ୍ଦ କରିବା ଉଚିତ୍ ହେବନି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି ଯେ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାର ଗଠିତ ଚାରି ଜଣିଆ କମିଟି ୧୫୦୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପ୍ରସ୍ତାବ ଦିଆଯାଇଛି । ଯଦି ଏହି ସବୁ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ନାହିଁ ତେବେ ସେମାନଙ୍କୁ ମିଳିଥିବା ଗ୍ରେସ୍ ମାର୍କ ହଟାଇ ଦିଆଯିବ ।
ସରକାର କହିଛନ୍ତି, ଯେଉଁ ୧୫୬୩ ଛାତ୍ର-ଛାତ୍ରୀଙ୍କୁ ଗ୍ରେସ ମାର୍କ ଦିଆଯାଇଥିଲା, ସେମାନଙ୍କୁ ଜୁନ ୨୩ ତାରିଖରେ ପରୀକ୍ଷା ଦେବାର ବିକଳ୍ପ ଦିଆଯାଇଛି । ଏହାର ଫଳାଫଳ ଜୁନ ୩୦ରେ ପ୍ରକାଶ କରାଯିବ । ଏମବିବିଏସ, ବିଡିଏସ ଓ ଅନ୍ୟ ପାଠ୍ୟକ୍ରମରେ ନାମ ଲେଖା ପାଇଁ କାଉନସେଲିଂ ଜୁଲାଇ ୬ ତାରିଖରୁ ଆରମ୍ଭ ହେବ ।
ତେଣୁ ଜୁନ ୩୦ ତାରିଖ ପରେ ନୂତନ ରାକିଂ ଜାରି କରାଯିବ । ୧୫୬୩ ଛାତ୍ର-ଛାତ୍ରୀଙ୍କୁ ଏହି ବିକଳ୍ପ ଦିଆଯାଉଛି ଯେ, ସେମାନେ ପୁଣି ଥରେ ପରୀକ୍ଷା ଦିଅନ୍ତୁ ନଚେତ୍ ୪ ଗ୍ରେସ ମାର୍କକୁ ଛାଡି ନୂତନ ରାକିଂକୁ ସ୍ୱୀକାର କରନ୍ତୁ । ଏହାର ଅର୍ଥ ବର୍ତ୍ତମାନ ଥିବା ରାଙ୍କିଂର ଆଉ କିଛି ମୂଲ୍ୟ ରହିବ ନାହିଁ । କାରଣ ନୂଆ ରାଙ୍କିଂ ଜୁନ ୩୦ ତାରିଖରେ ଜାରି କରାଯିବ ।
କଣ ଥିଲା ଯାଚିକାରେ
ଫିଜିକ୍ସ ୱାଲାର ସିଇଓ ଅଲଖ ପାଣ୍ଡେ ୧୫୦୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ମନମୁଖୀ ଭାବେ ଏନଟିଏ ଦେଇଥିବା ଗ୍ରେସ ମାର୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନରେ ଅନୁରୋଧ କରାଯାଇଥିଲା ଯେ, ନିଟ-ୟୁଜି ୨୦୨୪ର ପରୀକ୍ଷା ପ୍ରକ୍ରିୟା ଓ ଫଳାଫଳର ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିଜ ତତ୍ୱାବଧାନରେ ଏକ ବିଶେଷଜ୍ଞ କମିଟି ଗଠନ କରନ୍ତୁ ।
ଏହା ପରେ ସୁ୍ପ୍ରିମକୋର୍ଟ ପୁରା ମାମଲାରେ ଜୁନ ୧୧ ତାରିଖରେ କେନ୍ଦ୍ର ସରକାର ଓ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)କୁ ଜବାବ ମାଗିଥିଲା । ଆଉ ଆଜି ଏନଟିଏ ଏହାର ଜବାବ ରଖିଛି ।