କୋଲକାତା: ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡି ନିକଟରେ ବଡ ଧରଣର ଟ୍ରେନ ଦୁର୍ଘଟଣା ଘଟିଛି । କାଞ୍ଚଜନଜଙ୍ଗା ଏକ୍ସପ୍ରେସକୁ ପଛରୁ ମାଲବାହୀ ଟ୍ରେନ ଧକ୍କା ଦେଇଛି । ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, କାଞ୍ଚନଜଙ୍ଗା ଏକ୍ସପ୍ରେସର ଏକ ବଗି ମାଲବାହୀ ଟ୍ରେନ ଉପରକୁ ଚଢି ଯାଇଛି । ଏଥିରେ ଏ ପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଥିବା ଦାର୍ଡିଲିଂର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଏକ୍ସପ୍ରେସର ୩ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
କାଞ୍ଚନଜଙ୍ଗା ଏକ୍ସପ୍ରେସ ଅଗରତାଲାରୁ ସିୟାଲଦର ଯାତ୍ରା କରୁଥିଲା । ଏହି ସମୟରେ ନ୍ୟୁଜଲପାଇଗୁଡିରେ ପଛପଟୁ ମାଲବାହୀ ଟ୍ରେନ ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଗ୍ୟାସ୍ କଟର ଜରିଆରେ ଆହତଙ୍କୁ କ୍ଷତିଗ୍ରସ୍ତ ବଗିରୁ ଉଦ୍ଧାର କରାଯାଉଛି ।
ଦୁର୍ଘଟଣାରେ ଜରୁରୀକାଳୀନ ମେଡିକାଲ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି । ପ୍ରବଳ ବର୍ଷା ମଧ୍ୟରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ରେଳ ଦୁର୍ଘଟଣା ପରେ ସିୟାଲଦହ ରେଲୱେ ଷ୍ଟେସନରେ ଜରୁରୀକାଳୀନ ସହାୟତା ଡେସ୍କ କରାଯାଇଛି । ଏହି ଦୁର୍ଘଟଣା ସୋମବାର ସକାଳ ୯ଟାରେ ଘଟିଛି ।
ଦୁର୍ଘଟଣାର ଯେଉଁ ଚିତ୍ର ସାମ୍ନାକୁ ଆସିଛି ସେଥିରେ ଦେଖିବାକୁ ମିଳିଛି ଯେ, ଧକ୍କା ଦେବା ପରେ ମାଲବାହୀ ଟ୍ରେନର କେମିତି କାଞ୍ଚନଜଙ୍ଗା ଏକ୍ସପ୍ରେସ ଉପରେ ଚଢି ଯାଇଛି । ତିନୋଟି ବଗି ଲାଇନଚ୍ୟୁତ ହୋଇଛି । ଯେଉଁ ବଗି ପରସ୍ପର ମଧ୍ୟରେ ଧକ୍କା ହୋଇଛି ସେଠି ଲୋକେ ଫସି ରହିଛନ୍ତି । ଗ୍ୟାସ୍ କଟର ଜରିଆରେ କଟାଯାଇ ବଗିରୁ ସେମାନଙ୍କୁ ଉଦ୍ଧାର କରାଯାଉଛି ।
ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି । ଉତ୍ତର ପୂର୍ବ ସୀମାନ୍ତ ରେଲୱେ ଘଟଣାରେ ବୟାନ ଜାରି କରି କହିଛି ଯେ, ଏହି ଦୁର୍ଘଟଣା ନ୍ୟୁଜଲପାଇଗୁଡିର ରଙ୍ଗପାଣିରେ ଘଟିଛି । ସିୟାଲଦହ ଯାଉଥିବା ମାଲବାହୀ ଟ୍ରେନ ଡିଏନ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଇଛି ।
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟୁଇଟ୍ କରି ଲେଖିଛନ୍ତି, ଏନଏଫଆର ଜୋନରେ ଦୁଭାର୍ଗ୍ୟପୂର୍ଣ୍ଣ ଦୁର୍ଘଟଣା ଘଟିଛି । ଯୁଦ୍ଧକାଳୀନସ୍ତରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ରେଲୱେ, ଏନଡିଆରଏଫ ଓ ଏସଡିଆରଏଫ ମିଶି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗଲେଣି ।