ରାମ ମନ୍ଦିରରେ ଫୁଟିଲା ଗୁଳି ! ଟଳି ପଡିଲେ ସୁରକ୍ଷାରେ ମୁତୟନ ଯବାନ


ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିରରେ ପୁଣି ଫୁଟିଛି ଗୁଳି । ମନ୍ଦିରର ସୁରକ୍ଷାରେ ମୁତୟନ ସ୍ପେଶାଲ ସିକ୍ୟୁରିଟି ଫୋର୍ସର ଜଣେ ଯବାନଙ୍କ ସନ୍ଦିଗ୍ଧ ପରିସ୍ଥିତିରେ ଗୁଳି ବାଜିବାରୁ ମୃତ୍ୟୁ ଘଟିଛି । ତେବେ ଗୁଳି କେମିତି ବାଜିଲା ତାହା ସ୍ପଷ୍ଟ ହୋଇ ନାହିଁ । ସୂଚନା ମିଳିବା ମାତ୍ରେ ଆଇଜି-ଏସଏସପି ସହିତ ପୋଲିସର ଅନେକ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ଯବାନ ଜଣକ ଆମ୍ବେଦକର ନଗରର । ବୁଧବାର ସକାଳେ ଅଚାନକ ଗୁଳି ଶବ୍ଦ ଶୁଭିବାରୁ ଶ୍ରୀରାମ ମନ୍ଦିର ପରିସରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ତେଣୁ କେଉଁ ପରିସ୍ଥିତିରେ ଏବଂ କିଭଳି ଯବାନଙ୍କୁ ଗୁଳି ବାଜିଲା ତାହା ଅସ୍ପଷ୍ଟ ରହିଛି । ଯବାନଙ୍କ ନାଁ ଶତ୍ରୁଘ୍ନ ବିଶ୍ୱକର୍ମା । ବୟସ ପାଖାପାଖି ୨୫ ବର୍ଷ ହେବ ।

ଗୁଳି ଶବ୍ଦ ଶୁଣି ଘଟଣାସ୍ଥଳରେ ଅନ୍ୟ ସୁରକ୍ଷାକର୍ମୀ ପହଞ୍ଚିବା ବେଳକୁ ସେଠାରେ ଯବାନ ଶତ୍ରୁଘ୍ନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଟ୍ରାମା ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ଯବାନଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣାସ୍ଥଳକୁ ଫରେନ୍ସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ସାଥୀଙ୍କ ମତରେ ଶତ୍ରୁଘ୍ନ କିଛି ଦିନ ହେବ ବିଚଳିତ ଥିଲେ । ଘଟଣା ପୂର୍ବରୁ ସେ ମୋବାଇଲ ଦେଖୁଥିଲେ । ପୋଲିସ ଶତ୍ରୁଘ୍ନଙ୍କ ମୋବାଇଲକୁ ଯାଞ୍ଚ ପାଇଁ ଫରେନ୍ସିକ ଲ୍ୟାବ ପଠାଇ ଦେଇଛି ।